କାଠ ବୋଝେଇ ଗାଡ଼ି ଜବତ: ବନ୍ଧା ହେଲେ ଚାଳକ

କେନ୍ଦୁଝର,୧୨।୬(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସୋମବାର ଚଢାଉ କରି ସଦର ରେଞ୍ଜ ଅଧୀନ ଡୁମୁରିଆ ଗାଁ ନିକଟରୁ ଏକ ଶାଳ କାଠ ବୋଝେଇ ସ୍କୋର୍ପିଓ ଗାଡିକୁ ଜବତ୍‌ କରି ଗାଡ଼ି ଚାଳକଙ୍କୁ ଗିରଫ କରିଛି। ଝାଡ଼ଖଣ୍ଡରୁ ଚମ୍ପୁଆ-ଉଖୁଣ୍ଡା-ବାଉଁଶୁଳୀ ଦେଇ ଘଟଗାଁ ବ୍ଲକ ସାନ୍ତରାପୁର ଯାଉଥିବାବେଳେ ବନ ବିଭାଗ ସମ୍ପୃକ୍ତ ଗାଡିକୁ ଜବତ୍‌ କରିଛି। ଗିରଫ ଗାଡ଼ି ଚାଳକ ହେଲେ ବଳରାମ ମଲ୍ଲିକ(୩୫)। ତାଙ୍କ ଘର ଘଟଗାଁ ରେଞ୍ଜ ଅଧୀନ ଭୋଳବେଡା ଗାଁ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ସୋମବାର ଭୋର ସାଢେ ୪ଟାରେ ଏକ କାଠ ବୋଝେଇ ଓଆର-୦୨ଏଇ-୦୭୦୭ ସ୍କୋର୍ପିଓ ଗାଡିକୁ ବନ ବିଭାଗ ପିଛା କରିଥିଲା। ହେଲେ ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ ଗାଁ ନିକଟରେ ଗାଡିକୁ ବନବିଭାଗ ଧରିବାରେ ସକ୍ଷମ ହୋଇଥିଲା। ଏପରିକି ଡ୍ରାଇଭରଙ୍କୁ ବନ ବିଭାଗ କାବୁ କରିଥିବା ବେଳେ କାଠ ବୌଝେଇ ଗାଡିକୁ ଏସ୍କର୍ଟ କରି ଆସୁଥିବା ଅନ୍ୟ ଏକ ବୋଲେରୋ ଚମ୍ପଟ ମାରିବାରେ ସକ୍ଷମ ହୋଇଛି।

ଏହି ଚଢାଉରେ ଏନ୍‌ଫୋର୍ସମେଣ୍ଟ ସ୍କାର୍ଡର ଡେପୁଟି ରେଞ୍ଜର ବିଦ୍ୟାଧର ସାହୁ, ସଦର ରେଞ୍ଜର ବିଜୟ କୁମାର ମହାନ୍ତ, ରେଞ୍ଜର ମାନସ କୁମାର ମୁର୍ମୁ, ଟାଉନ ଫରେଷ୍ଟର ପ୍ରଦୀପ ବାରିକ, ରଘୁନାଥପୁର ବିଟ୍‌ ଫରେଷ୍ଟ ଗାର୍ଡ ସୁବ୍ରତ କୁମାର ପାତ୍ରଙ୍କ ସମେତ ପାରା ସ୍କାର୍ଡ ସାମିଲ ଥିଲେ। ଜବତ୍‌ ୫୭ ସିଫଟ୍‌ ଶାଳ କାଠର ଆନୂମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି।

ଝାଡ଼ଖଣ୍ଡ ନୂଆମୁଣ୍ଡି ସେରେଣ୍ଡା ଜଙ୍ଗଲରୁ କଟାଯାଇଥିବା ଏହି କାଠ ଘଟଗାଁ ବ୍ଲକ ସାନ୍ତରାପୁର ଅଞ୍ଚଳକୁ ଆସୁଥିବା ବେଳେ ବନ ବିଭାଗ କାଠ ସହ ଗାଡ଼ିକୁ ଜବତ୍‌ କରିବାରେ ସକ୍ଷମ ହୋଇଛି। ତେବେ ଚୋରାରେ କାଠ କାରବାର କରୁଥିବା ସାନ୍ତରାପୁର ଅଞ୍ଚଳର କାଠ ମାଫିଆଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରା ନ ଗଲେ ବେଆଇନ କାର୍ଯ୍ୟକଳାପ ବଢିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗତ ୮ ତାରିଖରେ ଘଟଗାଁ ରେଞ୍ଜ ଅନ୍ତର୍ଗତ ବାଲିଯୋଡି ନିକଟରେ ବନ ବିଭାଗ ଏକ କାଠ ବୋଝେଇ ଗାଡିକୁ ଧରିଥିଲା। ହେଲେ କାଠ ମାଫିଆମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ କାଠ ବୋଝେଇ ଗାଡି ନେଇଯିବାକୁ ସକ୍ଷମ ହୋଇଥିଲେ। ଏନେଇସ ରେଞ୍ଜର ପ୍ରଭାତ କୁଅଁର ଘଟଗାଁ ଥାନାରେ ୧୧ଜଣଙ୍କ ନାମରେ ଏତଲା ଦେଇଥିଲେ। ତେବେ ପୋଲିସ ଏକ ମାମଲା ରୁଜୁ କରି ବସି ପଡିଥିବା ବେଳେ ବନ କର୍ମଚାରୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ସାନ୍ତରାପୁର ଅଞ୍ଚଳରେ କାଠ କାରବାର ହେଉଥିଲେ ହେଁ ବନ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢାଉ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସୂଚନା ଯୋଗ୍ୟ, ଜିଲାରେ ଦିନକୁ ଦିନ ଜଙ୍ଗଲ ପଦା ହୋଇ କାଠ ଚାଲାଣ ବଢୁଥିବା ବେଳେ କାଁଭାଁ ଗାଡ଼ିକୁ ଧରି ବନ ବିଭାଗ ବାହାବାହା ନେଉଛି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share