ଡିସେମ୍ବର ୩୧ ଯାଏ ଗାଡ଼ି କାଗଜପତ୍ର ଅବଧି ବୃଦ୍ଧି

କଟକ ଅଫିସ,୨୫।୮: ସମସ୍ତ ପ୍ରକାର ଯାନବାହନ କାଗଜପତ୍ରର ବୈଧତାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏନେଇ ଘୋଷଣା କରିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତିରେ କୁହାଯାଇଛି ଯେ, ମୋଟର ଭେଇକଲ୍‌ ରୁଲ୍‌ସ-୧୯୮୯ ଅନ୍ତର୍ଗତ ଫିଟନେସ୍‌, ସମସ୍ତ ପ୍ରକାର ପରମିଟ୍‌, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ ଓ ଅନ୍ୟ କାଗଜପତ୍ରର ଅବଧି ଯାହା ୨୦୨୦ ଫେବୃୟାରୀ ୧ରୁ ସରିଛି, ତାହାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ମାର୍ଚ୍ଚ ୧୮ରୁ ବୈଧତା ସରିଥିବା ଲନର୍ସ ଲାଇସେନ୍ସକୁ ମଧ୍ୟ ଡିସେମ୍ବର ୩୧
ଯାଏ ବଢ଼ାଇ ଦିଆଯାଇଛି। ଯାତ୍ରୀ ଓ ମାଲ୍‌ବାହୀ ଯାନ, ସ୍କୁଲ୍‌ ବସ୍‌ ଓ ଅନ୍ୟ ବସ୍‌ଗୁଡ଼ିକର କାଗଜପତ୍ର ବୈଧତା ମଧ୍ୟ ବଢ଼ିଛି। ତେବେ ପଲ୍ୟୁଶନ୍‌ ଅଣ୍ଡର କଣ୍ଟ୍ରୋଲ୍‌(ପିୟୁସି) ସାର୍ଟିଫିକେଟ୍‌ ଓ ଅସ୍ଥାୟୀ ପରମିଟ୍‌ର ବୈଧତା ବଢ଼ିନାହିଁ। ଗାଡ଼ି ଚାଳକମାନେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବହନ କମିଶନର ସଞ୍ଜୀବ ପଣ୍ଡା ଜାରି କରିଥିବା ଏହି ନିର୍ଦ୍ଦେଶନାମାକୁ ସମସ୍ତ ଜିଲାପାଳ, ଏସ୍‌ପି, ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ,
ଗତ ୧୩ ତାରିଖରେ ଏସ୍‌ଟିଏ ନିର୍ଦ୍ଦେଶନାମା ଜାରି କରି କଟକଣା ଭିତରେ ଆର୍‌ଟିଓ ଖୋଲିବା ପାଇଁ ଅନୁମତି ଦେଇଥିଲା। କିନ୍ତୁ ଏଯାବତ୍‌ ଆର୍‌ଟିଓଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ବିଭିନ୍ନ ପ୍ରକାର ସାର୍ଟିଫିକେଟ୍‌ ନବୀକରଣ, ନୂତନ ଆବେଦନ ପାଇଁ ଗାଡ଼ି ମାଲିକମାନେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ସୋମବାର ନୂତନ ନିର୍ଦ୍ଦେଶନାମା ସେମାନଙ୍କୁ ଆଶ୍ୱସ୍ତ କରିଛି।

Share