ଖୋର୍ଦ୍ଧା ଅଫିସ,୨।୧୦: ଦିବାଲୋକରେ ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲାରେ। ଜିତେନ୍ଦ୍ର କୁମାର ଗୁରୁ ନାମକ ଜଣେ ବ୍ୟକ୍ତି ଲୁଟ୍ର ଶିକାର ହୋଇଛନ୍ତି। ତାଙ୍କ ଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି। କାମଲ ଗାଁର ଜିତେନ୍ଦ୍ର ଖୋର୍ଦ୍ଧା ବ୍ୟାଙ୍କରୁ ପ୍ରାୟ ୧.୨୦ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ବାଘମାରିରେ ଏଟିଏମ୍ରୁ ବାକି ଟଙ୍କା ଉଠାଇ ବାଇକ ଯୋଗେ ନିଜ ଗାଁ ଅଭିମୁଖେ ଯାଉଥିଲେ। ସିମୋର ନିକଟରେ ସେ ପରିସ୍ରା ଯିବା ପାଇଁ ଗାଡ଼ି ରଖିଥିଲେ। ଏହି ସମୟରେ ପଛରୁ କଳା ପଲସରରେ ଆସୁଥିବା ଦୁଇଜଣ ଯୁବକ ଓହ୍ଲାଇ ତାଙ୍କୁ ବନ୍ଧୁକ ଦେଖାଇଥିଲେ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ।