Categories: ଖେଳ

ଭେଙ୍କଟରାମ ବୈଷୟିକ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଏକାଡେମୀର ନୂଆ ବୈଷୟିକ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଭି. ଭେଙ୍କଟରାମ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର କ୍ରିକେଟ ଆଡ୍‌ଭାଇଜରି କମିଟି (ସିଏସି) ଭେଙ୍କଟରାମଙ୍କୁ ଏହି ନିଯୁକ୍ତି ଦେଇଛି। ସେ ନିଜ କ୍ରିକେଟ କ୍ୟାରିୟରରେ ୭୧ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୨୨୨ଟି ଉଇକେଟ ନେଇଛନ୍ତି। ସେ ୬ ବର୍ଷ ଧରି ବିହାର ରଣଜୀ ଦଳର ଅଧିନାୟକ ଥିଲେ। ଭେଙ୍କଟରାମ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଲେଭଲ-୩ କୋଚ୍‌। ସେ ଦୀର୍ଘ ୫ ବର୍ଷ ଧରି ଜାତୀୟ କ୍ରିକେଟ ଏକାଡେମୀରେ କୋଚ୍‌ ଏବଂ ଏଜୁକେଟର ଦାୟିତ୍ୱ ତୁଲାଇଛନ୍ତି। ଝାଡ଼ଖଣ୍ଡ, ତ୍ରିପୁରା ଓ ଆସାମ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି। ସେ ଉତ୍ତରାଖଣ୍ଡ ୨୩ ବର୍ଷରୁ କମ୍‌ କ୍ରିକେଟ ଦଳର କୋଚ୍‌ ଏବଂ ଆସାମ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ମଧ୍ୟ ଥିଲେ। ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିବାରୁ ସେ ଓସିଏର ଭିଜନ ୨୦୨୪ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି ଆଶା କରାଯାଉଛି।

Share