Categories: ଖେଳ

ଓଡ଼ିଶା କ୍ରିକେଟର ବିକାଶ ପାଇଁ ଭେଙ୍କଟରାମ୍‌ଙ୍କ ଯୋଜନା

ଭୁବନେଶ୍ୱର, ୬ା୫(ସ୍ପୋଟର୍‌ସ ବ୍ୟୁରୋ): (ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଦ୍ୱାରା ନବ ନିଯୁକ୍ତ ବୈଷୟିକ ନିର୍ଦ୍ଦେଶକ ଭି. ଭେଙ୍କଟରାମ ରାଜ୍ୟ କ୍ରିକେଟର ବିକାଶ ପାଇଁ ପ୍ରସ୍ତୁତ କରିଥିବା ତାଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ଶୁକ୍ରବାର ଓସିଏ କନଫରେନ୍ସ ହଲ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଥମେ ତାଙ୍କୁ ଦିଆଯାଇଥିବା ନିଯୁକ୍ତିକୁ ନେଇ ସେ ଓସିଏ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତାଙ୍କ ଯୋଜନା ମଧ୍ୟରେ ସନ୍ଦେହଜନକ ବୋଲିଂ ଆକ୍ସନର ସୁଧାରିକରଣ କ୍ୟାମ୍ପ ଆୟୋଜନ ଅନ୍ୟତମ। କୋଚ୍‌ଙ୍କ ଲାଗି ରିଫ୍ରେସର କୋର୍ସର ପ୍ରଚଳନ ହେବ। ସମସ୍ତ ଆଶାୟୀ କୋଚ୍‌ ପୂର୍ବରୁ ଯେଉଁମାନେ କୋଚିଂ ପ୍ରୋଗ୍ରାମ୍‌ରେ ସାମିଲଥିଲେ ବିଭିନ୍ନ ଜିଲାର କ୍ରିକେଟ ଏକାଡେମୀରେ ନିଯୁକ୍ତି ପାଇବା ପୂର୍ବରୁ ଭେଙ୍କଟରାମଙ୍କ ନେତୃତ୍ୱରେ ଏହି ପାଠ୍ୟକ୍ରମ ଶେଷ କରିବାକୁ ହେବ। ପୁନଶ୍ଚ ଭେଙ୍କଟରାମଙ୍କ ତତ୍ତ୍ୱାବଧାନରେ ଓସିଏ ଜୁନିୟର କ୍ରିକେଟର (୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ବୟସ ବର୍ଗ କାଟେଗୋରି)ଙ୍କ ଲାଗି ଏକ ହାଇପରଫର୍ମାନ୍ସ ସ୍କିଲ ଡେଭଲପମେଣ୍ଟ କ୍ୟାମ୍ପ ପରିଚାଳନା କରିବ। ସମସ୍ତ ଜିଲାକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରି ବିଭିନ୍ନ ବୟସବର୍ଗରେ ଟୁର୍ନାମେଣ୍ଟ ଆୟୋଜନ କରିବା ଭେଙ୍କଟରାମଙ୍କ ଯୋଜନାରେ ସ୍ଥାନ ପାଇଛି। ଏହାଛଡ଼ା ପ୍ରତ୍ୟେକ କ୍ରିକେଟରଙ୍କୁ ନିକଟରୁ ମିନଟର କରିବା ଏବଂ ସେମାନଙ୍କ ସମସ୍ୟାକୁ ପେଶାଦାର ଭାବେ ସମାଧାନ କରିବା। ବିଭିନ୍ନ ଜିଲାରେ ବିଭିନ୍ନ ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ପୋଷଣ କରିବା ଉପରେ ଭେଙ୍କଟରାମ ଗୁରୁତ୍ୱାରୋପ କରିଛନ୍ତି।

Share