ଭେଙ୍କି ରାମକୃଷ୍ଣନଙ୍କୁ ‘ଅର୍ଡର ଅଫ୍‌ ମେରିଟ’ ସମ୍ମାନ, ୨୦୦୯ରେ ମିଳିଥିଲା ନୋବେଲ…

ଲଣ୍ଡନ,୧୨।୧୧ : ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନଙ୍କୁ ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ଦମ୍ମାନରେ ସମ୍ମାନୀତ କରାଯାଇଛି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମୂଳ ଭାରତୀୟ ରାମକୃଷ୍ଣନଙ୍କୁ ରାଜା ଚାର୍ଲସ ତୃତୀୟା ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସେପ୍ଟେମ୍ବରରେ ମୃତ୍ୟୁ ପୂର୍ବରୁ ରାଣୀ ଏଲିଜାବେଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୫ ଜଣ ଖ୍ୟତି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ତାଲିକାମଧ୍ୟରେ ମଲିକୁଲାର ଜୈବ ବିଜ୍ଞାନୀ ୭୦ ବର୍ଷ ବୟସ୍କ ରାମକୃଷ୍ଣନଙ୍କ ନାମ ରହିଥିଲା। ଏହି ବିଶେଷ ସମ୍ମାନ ବ୍ରିଟେନର ରାଣୀ କିମ୍ବା ମହାରାଜା ପ୍ରଦାନ କରିଥାନ୍ତି।

ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତିରେ କହିଛି ଯେ ମହାରାଜା ୬ ଜଣଙ୍କୁ ‘ଅର୍ଡର ଅଫ ମେରିଟ’ ପ୍ରଦାନ କରି ଖୁସି ଅଛନ୍ତି। ସଶସ୍ତ୍ର ବାହିନୀ, ବିଜ୍ଞାନ, କଳା, ସାହିତ୍ୟ କିମ୍ବା ସଂସ୍କୃତିର ପ୍ରଚାରରେ ଯେଉଁମାନେ ମହତ୍ତ୍ୱପୂର୍ଣ ଅବଦାନ ପ୍ରଦାନ କରିଛନ୍ତି ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହାସହ ଏଥିରେ ଉଲ୍ଲେଖ କରାଯାଇଛି ଯେ ସେପ୍ଟେମ୍ବର ଆରମ୍ଭରେ ଏହି ବ୍ୟକ୍ତିମାନଙ୍କୁ ଚୟନ କରାଯାଇଥିଲା।

ରାମକୃଷ୍ଣନ ଦକ୍ଷିଣ ଭାରତୀୟ ତାମିଲନାଡୁର ଚିଦାମ୍ବରମରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟେନ ଯିବା ପୂର୍ବରୁ ସେ ଆମେରିକାରେ ବିଜ୍ଞାନ ଅଧ୍ୟୟନ କରିଥିଲେ। ତାଙ୍କୁ ୨୦୦୯ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ୧୯୦୨ମସିହାରେ କିଙ୍ଗ ଏଡୱାର୍ଡ ସପ୍ତମଙ୍କ ଦ୍ୱାରା ଅର୍ଡର ଅଫ ମେରିଟ ଆୱାର୍ଡ ପ୍ରତିଷ୍ଠା କରାଯାଇଥିଲା। ସଶସ୍ତ୍ର ବାହିନୀ, ବିଜ୍ଞାନ, କଳା ଏବଂ ସାହିତ୍ୟ, ସଂସ୍କୃତି ଇତ୍ୟାଦିକୁ ପ୍ରୋତ୍ସାହିତ କରିବା ପାଇଁ ମହାରାଜା କିମ୍ବା ରାଣୀ ଏହି ସମ୍ମାନ ପ୍ରଦାନ କରିଥାନ୍ତି।

Share