ଚନ୍ଦ୍ରର ଅତି ନିକଟରେ ଦେଖାଗଲା ଶୁକ୍ର

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ମଙ୍ଗଳବାର ଆକାଶରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌ ନିକଟତର ହୋଇଥିଲା ଚନ୍ଦ୍ର। ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୧୫ ପର୍ଯ୍ୟନ୍ତ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖାଯାଇଥିଲା। ଏହି ସମୟରେ ଶୁକ୍ର ଓ ଚନ୍ଦ୍ର ମଧ୍ୟରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିଥିଲା। ଏହାକୁ ଖାଲି ଆଖିରେ ଦେଖି ହୋଇଥିବାବେଳେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପକ୍ଷରୁ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ପ୍ଲାନେଟାରିୟମ୍‌ରେ ପ୍ରାୟ ୨ଶହରୁ ଅଧିକ ଲୋକ ଏହି ଦୃଶ୍ୟକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିଥିଲେ। ଏଥିସହ ପିଲାମାନଙ୍କ ସହିତ ଏ ନେଇ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା। ବୁଧବାରଠାରୁ ଶୁକ୍ର ଓ ଚନ୍ଦ୍ର ମଧ୍ୟରେ କୌଣିକ ଦୂରତା ବଢି ପ୍ରାୟ ୧୫ ଡିଗ୍ରୀ ହେବ। ମେ’ ଶେଷ ସପ୍ତାହ ତଥା ଜୁନ୍‌ ୧୫ ତାରିଖ ଯାଏ ସବୁଦିନ ସନ୍ଧ୍ୟାରେ ପ୍ରାୟ ୨ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖି ପାରିବା ବୋଲି ପ୍ଲାନେଟାରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Share