ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସମ୍ବଲପୁର ସ୍ବତନ୍ତ୍ର ପୋକ୍‌ସୋ ଫାଷ୍ଟଟ୍ରାକ୍‌ କୋର୍ଟ ଅତିରିକ୍ତ ଜିଲାଜଜ୍‌ ଆର୍‌.ଏଲ୍‌. ପଣ୍ଡା ଅଭିଯୁକ୍ତ ଅଜୟ ଓରାମ(୨୫)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ଜଣଙ୍କ ସାକ୍ଷ୍ୟ ଓ ବିଭିନ୍ନ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଓରାମଙ୍କୁ ପୋକ୍‌ସୋ ଆଇନର ଦଫା ୬ ଏବଂ ଆଇପିସିର ଦଫା ୩୭୬(୨)(ଏନ୍‌)ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦାୟେ ଦୋଷୀଙ୍କୁ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆଇପିସି ଦଫା ୩୭୬ରେ ୩ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦାୟେ ଅଧିକ ଏକମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ସେ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜରିମାନା ଅର୍ଥକୁ କ୍ଷତିପୂରଣ ସ୍ବରୂପ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରାଯାଇଛି। ତେବେ ଦୋଷୀ ଉଭୟ ଦଣ୍ଡକୁ ଏକ ସଙ୍ଗେ ଭୋଗିବେ।

ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପରିବାର ସହିତ ରହୁଥିବା ୧୭ ବର୍ଷୀୟା ନାବାଳିକା ୨୦୨୦ ନଭେମ୍ବର ୮ ରାତି ପ୍ରାୟ ୧୦ଟାରେ ନିକଟସ୍ଥ ପଡ଼ିଆକୁ ଶୌଚ ପାଇଁ ଯାଇ ଆଉ ଫେରି ନ ଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ନଭେମ୍ବର ୧୦ରେ ପୀଡ଼ିତାଙ୍କ ପିତା ଶାସନ ଥାନାରେ ଏ ନେଇ ଏତଲା ଦେଇଥିଲେ। ଶାସନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ନିଖୋଜର ୧୨ଦିନ ପରେ ପୋଲିସ ପୀଡ଼ିତାଙ୍କୁ ଅଭିଯୁକ୍ତ ଅଜୟ ଓରାମଙ୍କ ସହିତ ରେଙ୍ଗାଲି ବସ୍‌ଷ୍ଟାଣ୍ଡରେ ଠାବ କରି ଥାନାକୁ ଆଣିଥିଲା। ପଚରାଉଚରା ବେଳେ ନଭେମ୍ବର ୮ତାରିଖରେ ସେ ଶୌଚ ହୋଇ ଘରକୁ ଫେରିବା ସମୟରେ ରାସ୍ତାରୁ ତାଙ୍କୁ ଅଜୟ ଭୟଭୀତ କରି ଉଠାଇ ନେଇଥିଲେ। ପରେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଏକାଧିକ ଥର ବଳାକତ୍ାର କରିଥିଲେ ବୋଲି ପୀଡ଼ିତା ପୋଲିସକୁ କହିଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ ଅଜୟଙ୍କୁ ଗିରଫ କରିଥିଲା।

ଏହାକୁ ନେଇ ଶାସନ ଥାନାରେ ଆଇପିସି ଦଫା ୩୬୩, ୩୬୬, ୩୭୬(୨)(ଏନ୍‌), ପୋକ୍‌ସୋ ଆଇନ ଦଫା ୬ରେ ଏକ ମାମଲା (ନଂ.୨୦୨/୨୦) ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍‌ସୋ ଫାଷ୍ଟଟ୍ରାକ୍‌ କୋର୍ଟ ଅତିରିକ୍ତ ଜିଲା ଜଜ୍‌ ଶନିବାର ଏହି ରାୟ ଶୁଣାଇଛନ୍ତି। ଅଦାଲତରେ ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ବସନ୍ତ କୁମାର ମିଶ୍ର ପରିଚାଳନା କରୁଥିଲେ।

Share