ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ, ପ୍ରେମିକ: ଆସିଲା କୋର୍ଟଙ୍କ ରାୟ

ସୁନ୍ଦରଗଡ,୨୯।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ବ୍ରାହ୍ମଣପଡା ଗତିକୃଷ୍ଣ ପୁରୋହିତ ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ମୃତକଙ୍କ ସ୍ତ୍ରୀ ସୀତୁ ପଣ୍ଡା (୩୭) ଓ ପଡୋଶୀ ଛତିଶଗଡ ରାଜ୍ୟ ରାୟଗଡ ଜିଲା ଚକ୍ରଧରନଗର ଥାନା ଜାମଗାଁର ତାଙ୍କ ପ୍ରେମିକ ବିଶ୍ବରଞ୍ଜନ ଗୁପ୍ତା(୪୩)ଙ୍କୁ ଆଇପିସିର ଦଫା ୩୦୨, ୨୦୧, ୧୨୦-ଖରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୫ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡଦେଶ ଶୁଣାଇଛନ୍ତି। ଏଥିସହିତ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଗତିକୃଷ୍ଣଙ୍କ ନାବାଳିକା ଝିଅଙ୍କୁ ପ୍ରଦାନ ପାଇଁ ଜିଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ଆଦେଶ କରିଛନ୍ତି।

ମାମଲାର ରାୟ ବିବରଣୀରୁ ପ୍ରକାଶ, ବ୍ରାହ୍ମଣପଡାର ଗତିକୃଷ୍ଣଙ୍କ ସ୍ତ୍ରୀ ସୀତୁ ପଣ୍ଡାଙ୍କର ବିଶ୍ବ ରଞ୍ଜନ ସହ ବିବାହ ପୂର୍ବରୁ ପ୍ରେମସମ୍ପର୍କ ଥିଲା। ବିବାହ ପରେ ମଧ୍ୟ ବିଶ୍ବ ରଞ୍ଜନ ନିୟମିତ ବ୍ୟବଧାନରେ ସୁନ୍ଦରଗଡ ଆସି ତାଙ୍କ ସହ ମିଳାମିଶା କରୁଥିଲେ। ଦୁହେଁ ଗତିକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ।

ଯୋଜନା ମୁତାବକ, ବିଶ୍ବରଞ୍ଜନ ଗତିକୃଷ୍ଣଙ୍କୁ ଏକ ଢାବାକୁ ଖାଇଯିବାକୁ ଡାକି ନେଇ ରାସ୍ତାରେ ଛୁରି ଭୁସି ହତ୍ୟା କରିଥିଲେ। ପରେ ଏକ ଟାଟା ମ୍ୟାଜିକ ଗାଡିରେ ହେମଗିରି ଥାନା ଅଧୀନ ଧନୁ ବାଉଁଶ ଜଙ୍ଗଲରେ ପୋତି ଦେଇଥିଲେ।

ପୋଲିସ ତଦନ୍ତ ସମୟରେ ମୋବାଇଲ ଫୋନକଲ ରେକର୍ଡରୁ ଏହି ହତ୍ୟା ମାମଲାର ଖିଅ ପାଇ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିଥିଲା। ତତ୍କାଳୀନ ଥାନା ଅଧିକାରୀ ସୁନ୍ଦରଗଡ ଟାଉନ ଥାନାରେ ଏକ ମାମଲା( ନଂ. ୧୩୦/୨୦୧୩)ରୁଜୁ କରି ତଦନ୍ତ କରିଥିଲେ।

୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ୨୮ ଗୋଟି ଦସ୍ତାବିଜ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଭିତ୍ତିରେ ଜିଲା ଦୌରା ଜଜ ପଟ୍ଟନାୟକ ଦଫା ୩୦୨ ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ଏହି କେସ୍‌କୁ ଜିଲା ସରକାରୀ ଓକିଲ ଦିଲୀପ କୁମାର ମୁର୍ମୁ ପରିଚାଳନା କରୁଥିଲେ।