Categories: ଖେଳ

ଭର୍ଷ୍ଟାପେନ ଜିତିଲେ ବେଲଜିଆନ ଗ୍ରାଁ ପ୍ରି

ସ୍ପା-ଫ୍ରାଙ୍କୋଚାମ୍ପ୍ସ (ବେଲଜିୟମ), ୩୧।୭ (ଏପି): ଡିଫେଣ୍ଡିଂ ଫର୍ମୁଲାଓ୍ବାନ ଚାମ୍ପିୟନ ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅନୁଷ୍ଠିତ ବେଲଜିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ବିଜେତା ହୋଇଛନ୍ତି। ପୂରା ସିଜନରେ ଆଧିପତ୍ୟ ବିସ୍ତାର କରିଥିବା ଏହି ରେଡ୍‌ବୁଲ୍‌ ଡ୍ରାଇଭର କ୍ରମାଗତ ୮ମ ଏବଂ ଓଭରଅଲ୍‌ ୧୦ମ ଗ୍ରାଁ ପ୍ରି ବିଜୟ ହାସଲ କରିଛନ୍ତି। ସେ ଏଠାରେ ଟିମ୍‌ ମେଟ୍‌ ସର୍ଗିଓ ପେରେଜଙ୍କଠାରୁ ୨୨.୩ ସେକେଣ୍ଡ ଆଗରେ ରହି ରେସ୍‌ ଫିନିଶ୍‌ କରିଥିଲେ। ଫଳରେ ରେଡ୍‌ବୁଲ୍‌ ପ୍ରଥମ ୨ ସ୍ଥାନ ଅଧିକାର କରି ନେଇଥିଲା।

ଏଠାରେ ବିଜୟ ଫଳରେ ଭର୍ଷ୍ଟାପେନ କ୍ରମାଗତ ୩ୟ ଥରପାଇଁ ବିଶ୍ୱ ଟାଇଟଲ ଜିତିବାର ନିକଟତର ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫେରାରୀର ଚାଲର୍‌ସ ଲେକରେକ, ମର୍ସିଡିଜ୍‌ର ଲୁଇସ ହାମିଲଟନ, ଆଷ୍ଟନ ମାର୍ଟିନର ଫର୍ମାଣ୍ଡୋ ଆଲୋଁସୋ, ମର୍ସିଡିଜ୍‌ର ଜର୍ଜ ରସେଲ, ମ୍ୟାକଲରେନର ଲାନ୍‌ଲୋ ନୋରିସ, ଆଲପିନେର ଇଷ୍ଟାବନ ଓକନ, ଅଷ୍ଟେନ ମାର୍ଟିନର ଲାନ୍ସ ଷ୍ଟ୍ରଲ୍‌ ଏବଂ ଆଲ୍‌ଫା ଟୌରୀର ୟୁକି ସୁନୋଡା ଯଥାକ୍ରମେ ତୃତୀୟରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ଭର୍ଷ୍ଟାପେନ ୩୧୪ ପଏଣ୍ଟ ସହିତ ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି।

ପେରେଜ ୧୮୯ ପଏଣ୍ଟ ପାଇଛନ୍ତି। ଅର୍ଥାତ୍‌ ପେରେଜଙ୍କଠାରୁ ୧୨୫ ପଏଣ୍ଟରେ ଆଗୁଆ ରହି ଭର୍ଷ୍ଟାପେନ ଟାଇଟଲ ଦିଗରେ ଅଗ୍ରସର ହୋଇଛନ୍ତି। ଅଗଷ୍ଟ ୨୭ରେ ହେବାକୁଥିବା ଡଚ୍‌ ଗ୍ରାଁ ପ୍ରିରେ ବିଜୟୀ ହେଲେ ସେ ସେବାଷ୍ଟିଆନ ଭେଟେଲଙ୍କ କ୍ରମାଗତ ୯ମ ଗ୍ରାଁ ପ୍ରି ବିଜୟ ରେକର୍ଡର ସମକକ୍ଷ ହେବେ।

 

Share