Categories: ଖେଳ

ମୋହନ ବାଗାନକୁ ଆଜି ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୭।୧୧(ତପନ ସ୍ବାଇଁ): ଚଳିତ ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ସୋମବାର ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ (ଭିଓ୍ବାଇବିକେ)ରେ ଗ୍ରୁପ୍‌ ‘ଡି’ର ଏହି ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ। ଓଡ଼ିଶା ଏଫ୍‌ସି ନିକଟ ଅତୀତରେ ଉତ୍ସାହୀ ପ୍ରଦର୍ଶନ କରି ମାଜିୟା ଏସ୍‌ଆଣ୍ଡଆରସି ଦଳକୁ ଉଭୟ ଘରୋଇ ଏବଂ ବାହାର ପରିବେଶରେ ପରାସ୍ତ କରିଛି। ତେବେ ଏହା ପୂର୍ବରୁ ମୋହନ ବାଗାନ ବିପକ୍ଷରେ ହୋଇଥିବା ମୁକାବିଲାରେ ଓଏଫ୍‌ସି ୦-୪ ଗୋଲରେ ହାରି ଯାଇଥିଲା। ତେଣୁ ଆଗାମୀ ମ୍ୟାଚରେ ଦଳକୁ ସତର୍କତାର ସହ ଖେଳି ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ସୁଯୋଗ ଆସିଛି। ଅନ୍ୟପକ୍ଷରେ ଗ୍ରୁପ୍‌ ‘ଡି’ରେ ପ୍ରଭାବୀ ପ୍ରଦର୍ଶନ ସହ ଅଭିଯାନ ଆରମ୍ଭ କରିଥିବା ମୋହନ ବାଗାନ ଗତ ମ୍ୟାଚରେ ବସୁନ୍ଧରା କିଙ୍ଗ୍ସଠାରୁ ୧-୨ ଗୋଲରେ ହାରିଯାଇଛି। ତେଣୁ ଓଡ଼ିଶା ବିପକ୍ଷ ମ୍ୟାଚ ଘରୋଇ ପରିବେଶରେ ଖେଳିବାକୁ ଯାଉଥିବାରୁ ଏହି ଦଳ ବିଜୟ ସହ ସଫଳ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ମ୍ୟାଚରେ ଦଳର ଭଲ ପ୍ରଦର୍ଶନକୁ ନେଇ ଆଶା ରଖିଛନ୍ତି ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ଖେଳାଳି ଲେନି ରୋଡ୍ରିଗ୍ବେଜ। ”ଆଗାମୀ ମ୍ୟାଚକୁ ଆମେ ଉତ୍ସାହର ସହ ଅପେକ୍ଷା କରିଛୁ। ଆହତ ସମସ୍ୟା ଏବଂ ଖେଳାଳି ସସପେଣ୍ଡ ଜନିତ ସ୍ଥିତି ଥିଲେ ମଧ୍ୟ ମୋହନ ବାଗାନ ଏକ ଉତ୍ତମ ଦଳ। ଆମେ ମ୍ୟାଚ ଶେଷ ପର୍ଯ୍ୟନ୍ତ ୧୧ ଖେଳାଳି ଯେପରି ପଡ଼ିଆରେ ରହିବେ ସେଥିପ୍ରତି ଦୃଷ୍ଟିଦେବୁ। କାରଣ ମୋହନବାଗାନ ବିପକ୍ଷ ପୂର୍ବ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଆମକୁ ୧୦ ଜଣିଆରେ ଖେଳିବାକୁ ପଡ଼ିଥିଲା। ଯାହାକି ଆମକୁ କଷ୍ଟକର ପରିସ୍ଥିତିରେ ପକାଇଥିଲା। ତେବେ ଆମେ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ“ ବୋଲି ରବିବାର ଅନୁଷ୍ଠିତ ପ୍ରି-ମ୍ୟାଚ ଖବରଦାତା ସମ୍ମିଳନୀରେ ଲୋବେରା ପ୍ରକାଶ କରିଛନ୍ତି। ସେହିପରି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୩ ପଏଣ୍ଟ ହାସଲ କରିବା ଆମର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଲେନି କହିଛନ୍ତି।

Share