Categories: ଖେଳ

ଭର୍ଷ୍ଟାପେନ୍‌ଙ୍କୁ ପ୍ରଥମ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଟାଇଟଲ

ମେଲବୋର୍ନ, ୩ା୪(ପି.ଟି.): ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ତାଙ୍କ କ୍ୟାରିୟରରେ ପ୍ରଥମଥର ଅଷ୍ଟ୍ରେଲିଆନ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିବାରେ ସଫଳ ହୋଇଛନ୍ତି। ୨୦୧୧ ପରେ ରେଡ୍‌ବୁଲ୍‌ ଟିମ୍‌ର ମଧ୍ୟ ଏହା ପ୍ରଥମ ସଫଳତା। ରବିବାର ସ୍ଥାନୀୟ ଆଲବର୍ଟ ପାର୍କଠାରେ ଅନୁଷ୍ଠିତ ଏହି ରେସ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ୭ଥର ବିଶ୍ୱଚାମ୍ପିୟନ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ଚମତ୍କାର ଡ୍ରାଇଭ୍‌ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୋଡିୟମରେ ତୃତୀୟ ସ୍ଥାନରେ ରହିଥିଲେ ଆଷ୍ଟନ ମାର୍ଟିନ୍‌ର ଫର୍ନାଣ୍ଡୋ ଆଲେଁାସୋ। ରେସ୍‌ରେ ଅଂଶଗ୍ରହଣ କରିଥିବା ୨୦ ଡ୍ରାଇଭରଙ୍କ ମଧ୍ୟରୁ ୧୨ଜଣ ରେସ୍‌ ଶେଷ କରିପାରିଥିଲେ।

ଅଷ୍ଟ୍ରେଲିଆର ଓସ୍କାର ପିଆଷ୍ଟ୍ରି ୮ମ ସ୍ଥାନ ଅଧିକାର କରିଥିବା ବେଳେ ମ୍ୟାକ୍‌ଲରେନ ଟିମ୍‌ ପାଇଁ ପ୍ରଥମ ଚାମ୍ପିୟନଶିପ୍‌ ପଏଣ୍ଟ ଆଣିଦେଇଥିଲେ। ରେସ୍‌ରେ ୪ର୍ଥ, ୫ମ, ୬ଷ୍ଠ ଓ ୭ମ ସ୍ଥାନରେ ଯଥାକ୍ରମେ ଲାନ୍ସ ଷ୍ଟ୍ରୋଲ(ଆଷ୍ଟନ ମାର୍ଟିନ), ସର୍ଗିଓ ପେରେଜ(ରେଡ୍‌ବୁଲ୍‌), ଲାଣ୍ଡୋ ନୋରିସ (ମ୍ୟାକ୍‌ଲରେନ) ଓ ନିକୋ ହକେନ୍‌ବର୍ଗ(ହାସ୍‌)। ସେହିପରି ଆଲ୍‌ଫା ରୋମିଓର ଜୋ ଗୁଆନୟୁ ଏବଂ ଆଲ୍‌ଫା ତାଉରିର ୟୁକି ଟିସୁନୋଡା ୯ମ ଓ ୧୦ମ ସ୍ଥାନରେ ରହିଥିଲେ।

Share