ଆଜକୁ ୪ହଜାରରୁ ଅଧିକ ବର୍ଷ ପୂର୍ବେ ବେବିଲୋନିଆନମାନେ ମନ୍ଦିରମାନଙ୍କରେ ବ୍ୟାଙ୍କ ସେବା ପ୍ରଦାନ କରୁଥିବାର ଜାଣିବାକୁ ମିଳେ। ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଭେନିସ୍ ଓ ଜେନେଭାଠାରେ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା। ୧୪ଶ ଶତାବ୍ଦୀରେ ଫ୍ଲୋରେନ୍ସଠାରେ ଋଣଦାତାମାନଙ୍କ ଦ୍ୱାରା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ହିନ୍ଦୁଧର୍ମରେ ମନୁଙ୍କ ଦ୍ୱାରା ପ୍ରଦତ୍ତ ନୀତିରେ ସଚ୍ଚୋଟ ଲୋକମାନଙ୍କ ନିକଟରେ ବଳକା ଅର୍ଥ ଜମା ପାଇଁ ଦିଆଯିବା ଉଚିତ ବୋଲି ଲେଖାଅଛି। ବିପଦ ବେଳେ ଟଙ୍କା ଉଧାର ଦେଲେ ବିପଦମୁକ୍ତ ହେବା ସଙ୍ଗେ ସଙ୍ଗେ ଟଙ୍କା ଉଧାର ଦେଇଥିବା ଲୋକର ଅଶେଷ ଅଶେଷ ଧର୍ମ ହୁଏ। ସେହିପରି ଉଧାର ନେଇ ନ ଶୁଝିବା ମଧ୍ୟ ପାପ ଅର୍ଜନ କରିବା ବୋଲି ଉଲ୍ଲେଖ ଅଛି।
ବେଦରେ ବ୍ୟାଙ୍କରେ ଅର୍ଥ ଜମା କରିବା ଓ ଅର୍ଥ ଯୋଗାଣ ବିଷୟରେ ଉଲ୍ଲେଖ ରହିଛି। ବ୍ରିଟିଶ ପ୍ରଶାସନ ଭାରତରେ ୧୮୦୯ ମସିହାରେ ବ୍ୟାଙ୍କ ଅଫ୍ ବେଙ୍ଗଲ, ୧୮୪୦ ମସିହାରେ ବ୍ୟାଙ୍କ ଅଫ୍ ବମ୍ବେ ଓ ୧୮୪୩ ମସିହାରେ ବ୍ୟାଙ୍କ ଅଫ୍ ମାଡ୍ରାସ ଭଳି ତିନୋଟି ପ୍ରେସିଡେନ୍ସି ବ୍ୟାଙ୍କର ପ୍ରତିଷ୍ଠାକଲେ ଓ ପରବର୍ତ୍ତୀ କାଳରେ ୧୯୨୦ ମସିହାରେ ଇମ୍ପେରିଆଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ ଅନୁଯାୟୀ ୨୭ ଜୁନ୍ ୧୯୨୧ରେ ଏହି ବ୍ୟାଙ୍କ କାର୍ଯ୍ୟ କଲା। ୧୯୩୪ ମସିହାରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଭାବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରାଯାଇ ଉପମହାଦେଶ ଭାରତର ସମସ୍ତ ବ୍ୟାଙ୍କ ସେବାକାର୍ଯ୍ୟ ୧୯୩୫ ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ତା’ର ପରବର୍ତ୍ତୀ ସମୟରେ ଘରୋଇ ସ୍ତରରେ ଭିନ୍ନ ଭିନ୍ନ ନାମରେ ବାଣିଜିକ ବ୍ୟାଙ୍କମାନ ପ୍ରତିଷ୍ଠାହୋଇ ସେବା ପ୍ରଦାନ କରାଗଲା। ୧୯୬୯ ମସିହା ଜୁଲାଇ ୧୯ରେ ୧୪ଟି ବୃହତ୍ ପର୍ଯ୍ୟାୟ ବ୍ୟାଙ୍କ ଜାତୀୟକରଣ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ କରାଯାଇ ରାଷ୍ଟ୍ରର ସମୃଦ୍ଧିରେ ସେବା ନିଯୁକ୍ତ କରାଗଲା। ୧୯୭୧ ମସିହା ୩୧ ଡିସେମ୍ବରରେ ଭାରତରେ ୧୨ଟି ବିଦେଶ ବ୍ୟାଙ୍କ ପ୍ରେସିଡେନ୍ସି ସିଟିଗୁଡ଼ିକରେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୦୪ ଓ ୧୯୧୨ ମସିହାରେ କେନ୍ଦ୍ର ସରକାର ଦେଶର ଗ୍ରାମାଞ୍ଚଳ ଓ ସାଧାରଣ ଜନତାଙ୍କ ଭାଗୀଦାରି ପାଇଁ ସମବାୟ ସମିତି ପ୍ରତିଷ୍ଠା ପାଇଁ ଆଇନ ପ୍ରଣୟନକରି ବ୍ୟାଙ୍କସେବାର ଅନ୍ୟ ଏକ ଦ୍ୱାର ଉନ୍ମୁକ୍ତକରି ରଖିଲେ। ଦେଶରେ ବ୍ୟାଙ୍କସେବାକୁ ପର୍ଯ୍ୟାପ୍ତ କରିବା ପାଇଁ ଆଞ୍ଚଳିକ ସ୍ତରରେ ୧୯୭୫ ମସିହାରେ ରିଜିଓନାଲ ରୁରାଲ ବ୍ୟାଙ୍କ ବା ଗ୍ରାମ୍ୟବ୍ୟାଙ୍କ ପ୍ରତିଷ୍ଠା କରାଗଲା ଏବଂ ଏହି ସମସ୍ତ ବ୍ୟାଙ୍କର ସେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ୍ ରେଗୁଲେଶନ ଆକ୍ଟ ଦ୍ୱାରା ନିୟନ୍ତ୍ରିତ କଲା।
ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ବୃହତ୍ ଋଣ ଚାହିଦା ପୂରଣ କରୁଥିଲା ବେଳେ ଆଞ୍ଚଳିକ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ଦ୍ୱାରା ସଂଶ୍ଳେଷଣ ପାଇଁ ଗ୍ରାମ ତଥା ସହରାଞ୍ଚଳର ଋଣ ଯୋଗାଣ ଓ ଜମା ସଂଗ୍ରହର କାର୍ଯ୍ୟ ସମ୍ପାଦନକଲେ। ମାତ୍ର ଗ୍ରାମୀଣ ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ ଥିବା ଏକମାତ୍ର ବ୍ୟାଙ୍କ ହେଲା ସମବାୟ ବ୍ୟାଙ୍କ। ସମବାୟ ବ୍ୟାଙ୍କ ପ୍ରଥମରୁ କୃଷିଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖି ସେବା ପ୍ରଦାନ କରିବାରେ ଲାଗିଛି। ସମବାୟ ବ୍ୟାଙ୍କଗୁଡ଼ିକର ପ୍ରଥମ ଲକ୍ଷ୍ୟହେଲା ଏହାର ସଭ୍ୟ ଓ ସମାଜର ସେବା କରିବା ଯେଉଁଠି ଅନ୍ୟ ବ୍ୟାଙ୍କଗୁଡ଼ିକ ଲାଭ ଉପାର୍ଜନକୁ ଲକ୍ଷ୍ୟକରି ବ୍ୟବସାୟ କରିଥାନ୍ତି।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ଆର୍ଥିକ ଲଗାଣର ସୁବିଧା ପାଇଁ ସମବାୟ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରିଥାନ୍ତି। ଭାରତର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଗୋଟିଏ ସମବାୟ ବ୍ୟାଙ୍କ କାର୍ଯ୍ୟ କରିଥାଏ। ରାଜ୍ୟ ସମବାୟ ବ୍ୟାଙ୍କଗୁଡ଼ିକୁ ନାବାର୍ଡ କୃଷିଋଣ ପାଇଁ ଅର୍ଥ ଯୋଗାଏ ଏବଂ ଜିଲାସ୍ତରରେ ଗଠନ କରାଯାଇଥିବା ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସମବାୟ ବ୍ୟାଙ୍କ ନାବାର୍ଡଠାରୁ ପାଇଥିବା କୃଷି ଋଣ ଅର୍ଥକୁ ଯୋଗାଇଥାନ୍ତି। ପ୍ରତି ପଞ୍ଚାୟତ ବା ୨/୩ ଟି ପଞ୍ଚାୟତକୁ ନେଇ ପ୍ରାଥମିକ କୃଷିଋଣ ସମବାୟ ସମିତି ଗଠନ କରାଯାଇଛି ଏବଂ ଏହାର ସଭ୍ୟ ହୋଇଥାନ୍ତି ସେହି ଅଞ୍ଚଳର ଚାଷୀଭାଇମାନେ। ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ପ୍ରାଥମିକ କୃଷିଋଣ ସମବାୟ ସମିତିଗୁଡ଼ିକୁ ଋଣ ଯୋଗାଇବା ଦ୍ୱାରା ସମିତିଗୁଡ଼ିକ ସେମାନଙ୍କ ସଭ୍ୟ କୃଷକମାନଙ୍କୁ କୃଷିଋଣ ସ୍ବଳ୍ପ ସୁଧରେ ଯୋଗାଇଥାନ୍ତି।
ବର୍ତ୍ତମାନ ଭାରତରେ ୩୨ଟି ରାଜ୍ୟ ସମବାୟ ବ୍ୟାଙ୍କର ୮୦୭ ଗୋଟି ଶାଖା କାର୍ଯ୍ୟକରୁଛି। ୩୭୭ଟି ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସେମାନଙ୍କର ୧୨,୨୭୦ଟି ଶାଖା, ୯୭,୦୦୦ ପ୍ରାଥମିକ କୃଷିଋଣ ସେବା ସମବାୟ ସମିତି ଦେଶର କୋଣ ଅନୁକୋଣରେ କାର୍ଯ୍ୟ କରୁଛନ୍ତି ସଭ୍ୟ ଚାଷୀମାନଙ୍କୁ ଋଣଦେବା ଓ ଜମା ସଂଗ୍ରହ କାର୍ଯ୍ୟରେ। ଓଡ଼ିଶାର କୃଷି ଋଣରେ ଦୀର୍ଘ ମିଆଦୀ ଋଣ ଦେବା ପାଇଁ ସମବାୟ ଭୂ-ଉନ୍ନୟନ ବ୍ୟାଙ୍କ ଗଠନ କରାଯାଇଥିଲେ ମଧ୍ୟ ସବୁଗୁଡ଼ିକ ପରିଚାଳନା ଅବ୍ୟବସ୍ଥାରୁ ବନ୍ଦ ହୋଇଯାଇଛି। ସହରାଞ୍ଚଳରେ କ୍ଷୁଦ୍ର ବ୍ୟବସାୟୀ ଓ ଖଟିଖିଆ, ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସେବା ପାଇଁ ୧୫୦୦ଟି ସିଡ୍ୟୁଲ୍ଡ ଓ ନନ୍ ସିଡ୍ୟୁଲ୍ଡ(୨୯ା୦୨ା୨୦୨୪ ସୁଦ୍ଧା) ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଗଠନ କରାଯାଇ ସେମାନଙ୍କର ୧୧,୦୦୦ ଶାଖା ମାଧ୍ୟମରେ ସେବା ଯୋଗାଉଛନ୍ତି। ସମବାୟ ବ୍ୟାଙ୍କ ଗ୍ରାମୀଣ ଭାରତର ନିଃଶ୍ୱାସ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମବାୟ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡ଼ିକଠାରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିବା ସହ ନିଯୁକ୍ତି ଦେବା ସାଙ୍ଗକୁ ଲୋକଙ୍କୁ ସେବା ଯୋଗାଇପାରିଛି ଏବଂ ବ୍ୟବସାୟରେ ମଧ୍ୟ ସଫଳତା ଆଣି ଦେଇପାରିଛି। ଦେଶରେ ଯେତେ ବ୍ୟାଙ୍କ ବ୍ୟବସ୍ଥା ରହିଥିଲେ ମଧ୍ୟ ସମବାୟ ବ୍ୟାଙ୍କଗୁଡ଼ିକ ହିଁ ସେବାଧର୍ମୀ ହେବା ସହ ଗରିବ ଲୋକଙ୍କ ନିକଟରେ ପହଞ୍ଚତ୍ ଦିବାରାତ୍ର ସେମାନଙ୍କ ସମୃଦ୍ଧି ପାଇଁ ସ୍ବପ୍ନ ଦେଖିଚାଲିଛନ୍ତି। ମନେହେଉଛି ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଓ ଜନତାଙ୍କ ଅନୁଷ୍ଠାନ ହେଉଛି ସମବାୟ ବ୍ୟାଙ୍କ। ପ୍ରତ୍ୟେକ ଭାରତୀୟ ତାରି ସେବା ଗ୍ରହଣକରି ଏକ ନିର୍ମଳ, ସ୍ବଚ୍ଛନ୍ଦ, ସମୃଦ୍ଧ ଭାରତ ନିର୍ମାଣ କରିବାକୁ ଆଗେଇଆସିବା ଦରକାର। ସମବାୟ ବ୍ୟାଙ୍କଗୁଡ଼ିକ ଅତି କମ୍ ସୁଧହାରରେ ସମିତିର ସଭ୍ୟମାନଙ୍କୁ ଋଣ ଯୋଗାଇବା ଦ୍ୱାରା ସେମାନଙ୍କର ସମବାୟ ବ୍ୟାଙ୍କ ପ୍ରତି ଦୁର୍ବଳତା ବଢ଼ିଯାଇଛି। ଓଡ଼ିଶାରେ ସମବାୟ ବ୍ୟାଙ୍କଗୁଡ଼ିକ ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଶସ୍ତାରେ କୃଷିଋଣ ଯୋଗାଇ ଦେଉଛନ୍ତି। ପ୍ରତ୍ୟେକ ଚାଷୀ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ଠିକ୍ ସମୟରେ ଶୁଝିଲେ ସୁଧ ଦେବାକୁ ପଡ଼େନାହିଁ। ସରକାର ପ୍ରଚଳିତ ସୁଧକୁ ବ୍ୟାଙ୍କକୁ ଦେବା ପାଇଁ ଇ-ରେଷ୍ଟ ସଲ୍ଭେନ୍ଶନ୍ ଯୋଜନା ମାଧ୍ୟମରେ ଆଇନ ପ୍ରଣୟନ କରିଛନ୍ତି। ଭାରତ ଏକ ଗ୍ରାମବହୁଳ ଦେଶ ହୋଇଥିବାରୁ ଏହାର ଅର୍ଥନୀତି ଗ୍ରାମର କୃଷି ଉପରେ ନିର୍ଭରକରେ। ଏଥିରେ ରାଜ୍ୟ ସରକାରମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇପାରିଲେ ଦେଶ ସମବାୟ କ୍ଷେତ୍ରରେ ଆଗକୁ ବଢ଼ିପାରିବ ଓ ଗ୍ରାମୀଣ ଭାରତର ସ୍ବପ୍ନ ସାକାର ହେବ ଏବଂ ଗ୍ରାମୀଣ ଭାରତର ମେରୁଦଣ୍ଡ ଶକ୍ତ ହୋଇପାରିବା ସଙ୍ଗେ ସଙ୍ଗେ ଆର୍ଥିକ ବିକାଶରେ ଭାରତ ଆମତ୍ନିର୍ଭର ହୋଇପାରିବ। କୃଷିକ୍ଷେତ୍ରରେ ଦିଆଯାଉଥିବା ଋଣରୁ ୭୦ ଭାଗ ସମବାୟ ବ୍ୟାଙ୍କ ବହନକରୁଥିବାରୁ ଗ୍ରାମୀଣ ଭାରତର ମେରୁଦଣ୍ଡ ବୋଲି ସମବାୟ ବ୍ୟାଙ୍କକୁ କୁହାଯାଏ।
ମୋ: ୯୦୯୦୩୨୫୮୦୨