ବେଜିଂ, ୨୫।୫: ଡବ୍ଲ୍ୟୁଡବ୍ଲ୍ୟଇ ସୁପରଷ୍ଟାର ତଥା ‘ଫାଷ୍ଟ ଆଣ୍ଡ୍ ଫ୍ୟୁରିଅସ ୯’ ଷ୍ଟାର ଜନ ସିନା ଚାଇନିଜ ଫ୍ୟାନ୍ସଙ୍କୁ ମଙ୍ଗଳବାର କ୍ଷମାପ୍ରାର୍ଥନା କରିଛନ୍ତି। ଆମେରିକାନ ରେସଲିଂ ଷ୍ଟାର ତାଇଓ୍ବାନକୁ ଏକ ଦେଶ ବୋଲି କହିଥିଲେ। ଏଥି ନେଇ ବିବାଦ ସୃଷ୍ଟି ହୋଇଥିଲା।
ସ୍ବଂୟ ଶାସିତ ତାଇଓ୍ବାନକୁ ନିଜ ଅଞ୍ଚଳ ଭାବେ ଦେଖୁଛି ଚାଇନା। ଆବଶ୍ୟକ ହେଲେ ଦିନେ ବଳପୂର୍ବକ ଜବରଦଖଲ କରାଯିବ। ଏହି ଦ୍ୱୀପକୁ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ପାଇଁ କୂଟନୈତିକ ପ୍ରୟାସ ମଧ୍ୟ ଚାଲିଛି।
ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲରରୁ ଅଭିନେତା ପାଲଟିଥିବା ସିନା ଗତ ମେ’ରେ ଫିଲ୍ମ ‘ଫାଷ୍ଟ ଆଣ୍ଡ୍ ଫ୍ୟୁରିଅସ ୯’ର ପ୍ରୋମୋଶନ ପାଇଁ ତାଇଓ୍ବାନ ଗସ୍ତ କରିଥିଲେ। ପ୍ରଶଂସକଙ୍କ ସହ ଆଲୋଚନା ବେଳେ ତାଇଓ୍ବାନକୁ ଦେଶ ବୋଲି ଅବିହିତ କରିଥିଲେ ସିନା। ଏଥି ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସିନା କ୍ଷମାପ୍ରାର୍ଥନା କରିଛନ୍ତି। ” ମୁଁ ଫାଷ୍ଟ ଓ ଫ୍ୟୁରିଅସ ୯ ପାଇଁ ବହୁ ସାକ୍ଷାତ୍କାର ଦେଇଛି। ଏକ ସାକ୍ଷାତ୍କାରବେଳେ ମୁଁ ଭୁଲ କରିଛି। ମୁଁ ଚାଇନା ଓ ଏହି ଦେଶର ଲୋକଙ୍କୁ ଖୁବ୍ ଭଲ ପାଏ। ମୋ ଭୁଲ ପାଇଁ କ୍ଷମାପ୍ରାର୍ଥନା କରୁଛି “ ବୋଲି ସିନା ଉକ୍ତ ଭିଡିଓରେ କହିଛନ୍ତି। ଏହି ଭିଡିଓକୁ ୨.୪ ନିୟୁତ ଥର ଦେଖି ସାରିଲେଣି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ୨୧ ତାରିଖରେ ଚାଇନାରେ ରିଲିଜ ହୋଇଥିବା ଫାଷ୍ଟ ଓ ଫ୍ୟୁରିଅସ ୯ ସପ୍ତାହନ୍ତରେ ୧୪୮ ନିୟୁତ ଡଲାର ଆୟ କରିଛି।