ବ୍ରହ୍ମଗିରି,୨୧।୧(ଡି.ଏନ୍.ଏ.): ଚିଲିକାରେ ପରିବହନ ସେବାରେ ନିୟୋଜିତ ହୋଇଥିବା ଭେସେଲ ଗୁରୁବାର ଯାତ୍ରୀ ଓ ମାଲ୍ ପରିବହନ ନେଇ ଯାଉଥିବାବେଳେ ମଝି ଚିଲିକାରେ ଅଟକି ଯାଇଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିବା ସହ ଅଧ ଘଣ୍ଟା କାଳ ଫସି ରହିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଚିଲିକାରେ ଯାତ୍ରୀ ପରିବହନ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ତରଫରୁ ଭେସେଲ ସେବା ଯୋଗାଇ ଦିଆଯାଇଛି। ତେବେ ଗୁରୁବାର ଏହି ଭେସେଲ ଜହ୍ନିକୁଦା ଘାଟରୁ ଯାତ୍ରୀମାନଙ୍କୁ ଧରି ସାତପଡା ଅଭିମୁଖେ ଆସୁଥିଲା। ହେଲେ ଚିଲିକା ମଝି ଭାଗରେ ହୋଇଥିବା ବେଳେ ଭେସେଲଟି ଚ୍ୟାନେଲ ବାହାରକୁ ଚାଲିଯାଇଥିଲା। ଫଳରେ କୌଣସି ଏକ ଜାଲ କିମ୍ବା ଅନ୍ୟ କିଛି ପଦାର୍ଥ ଲାଗିଯିବାରୁ ଅଧା ବାଟରେ ଭେସେଲଟି ଲାଗିଯାଇ ଅଟକି ଯାଇଥିଲା। ଯାତ୍ରୀମାନେ ଚିଲିକା ମଧ୍ୟରେ ଫସି ରହିଥିଲେ। ପରେ ଭେସେଲ ଚାଳକ ଉଦ୍ୟମ କରି ଭେସେଲଟିକୁ ଚ୍ୟାନେଲ ମଧ୍ୟକୁ ଆଣିବା ପରେ ଠିକ୍ ବାଟରେ ଚାଲିଥିଲା। ଏ ସମ୍ପର୍କରେ ସିଡିଏର କନିଷ୍ଠ ଯନ୍ତ୍ରୀ ଡମ୍ବରୁଧର ବିଶ୍ବାଳ କୁହନ୍ତି, ଚ୍ୟାନେଲରେ ପାଣି କମି ଆସିଲାଣି ଟିକିଏ ପବନ ହେଲେ ଭେସେଲ ଲାଗିଯାଉଛି। ଏଥିପ୍ରତି ଆଗକୁ ନଜର ରଖାଯିବ।