ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ରବିବାର ସକାଳେ ହୃହ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ତାଙ୍କ ଝିଅ ସୁଧା ଚନ୍ଦ୍ରନ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଅଭିନେତା କେ.ଡି ଚନ୍ଦ୍ରନ ଅସୁସ୍ଥ ଥିଲେ। ଅବସ୍ଥା ବିଗିଡିବାରୁ ତାଙ୍କୁ ମେ’ ୧୨ରେ କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଭୂଲାପଣ ରୋଗରେ ଆକ୍ରାନ୍ତ ଥିଲେ। ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ରବିବାର ସକାଳ ୧୦ଟାରେ ହୃଦ୍‌ଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। କେଡିଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ ଛୋଟ ଛୋଟ ଭୂମିକାରେ ନଜର ଆସି ମଧ୍ୟ ତାଙ୍କ ଅଭିନୟର ଯାଦୁ ସମସ୍ତଙ୍କ ହୃଦୟରେ ଏକ ଛାପ ଛାଡିଯାଇଛି। ବଲିଉଡ୍‌ ଫିଲ୍ମ ‘କୋଇ ମିଲ୍‌ ଗୟା, ଚାଇନା ଗେଟ, କାଲ, ହମ୍‌ ହେ ରାହି ପ୍ୟାର କେ, ତେରେ ମେରେ ସପନେ, ଜୁନୁନ, ହର ଦିଲ୍‌ ଜୋ ପ୍ୟାର କରେଗା, ଶରାରତ, ମେ ମାଧୁରୀ ଦିକ୍ଷିତ ବନନା ଚାହତି ହୁଁ’ ଭଳି କେତେକ ଫିଲ୍ମରେ ଅଭିନୟ କରି ସେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ବହୁ କମ୍‌ ଫିଲ୍ମରେ କାମ କରି ମଧ୍ୟ କେଡି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Share