ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର ପଣ୍ଡିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରର କିଛି ଅଙ୍ଗ କାମ କରିବା ବନ୍ଦ କରିଦେଇଥିବାରୁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସା କରାଯାଉଥିଲା । ଡାକ୍ତରୀ ଟିମର ଅଦମ୍ୟ ଚେଷ୍ଟା ପରେ ବି ଗୋଖଲେଙ୍କୁ ବଞ୍ଚାଇ ହୋଇ ନ ଥିଲା ଆଉ ସେ ସବୁଦିନ ପାଇଁ ସମସ୍ତଙ୍କ ନିକଟରୁ ଚୀର ବିଦାୟ ନେଇଛନ୍ତି । ଗୋଖଲେଙ୍କ ପରଲୋକ ଖବର ମିଳିବା ପରେ ହିନ୍ଦୀ ଓ ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏହାସହ ତାଙ୍କ ପ୍ରଶଂସକମାନେ ବି ଅଶ୍ରୁଳ ନୟନରେ ତାଙ୍କ ପ୍ରିୟ ଅଭିନେତାଙ୍କୁ ବିଦାୟ ଦେଇଛନ୍ତି ।
ସୂଚନାଯାଗ୍ୟ, ଗୋଟିଏ ଦିନ ତଳେ ବିକ୍ରମ ଗୋଖଲେଙ୍କ ନିଧନ ହେବା ଖବର ବ୍ୟାପିଯାଇଥିବା ବେଳେ ତାଙ୍କ ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ । ହେଲେ ଏହି ଖବରରେ କୌଣସି ସତ୍ୟତା ନ ଥିବା ତାଙ୍କ ଝିଅ କହିଥିଲେ ଗୋଖେଲଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଆଉ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏପଟେ ଜୀବନ ଯୁଦ୍ଧରେ ଲଢି ଚାଲିଥିବ ଗୋଖଲେ ଶେଷରେ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରି ସମସ୍ତଙ୍କ ନିକଟରୁ ବିଦାୟ ନେଇଛନ୍ତି ।

Share