ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ସେ କରୋନାର ଶିକାର ହୋଇଥିଲେ। ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ଭୁପିନ୍ଦର ସିଂ ଅଲ ଇଣ୍ଡିଆ ରେଡିଓରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଦୁରଦର୍ଶନରେ ମଧ୍ୟ କିଛି ଦିନ କାମ କରିଥିଲେ। ଭୁପିନ୍ଦର ସିଂ ବଲିଉଡରେ ତାଙ୍କର ଅନେକ ପ୍ରସିଦ୍ଧ ଗୀତ ପାଇଁ ଜଣାଶୁଣା। ସେ ‘ମୌସମ’, ‘ସତ୍ତେ ପେ ସତ୍ତା’, ‘ଅହିସ୍ତା ଅହିସ୍ତା’, ‘ଦୁରିୟାଁ’, ‘ହକିକତ’ ଭଳି ସୁପରହିଟ୍ ଫିଲ୍ମର ଗୀତରେ ନିଜର ସ୍ବର ଦେଇଥିଲେ। ଭୁପିନ୍ଦର ସିଂ ଜଣେ ପ୍ରସିଦ୍ଧ ଭାରତୀୟ ସଂଗୀତଜ୍ଞ ଏବଂ ମୁଖ୍ୟତଃ ଜଣେ ଗଜଲ ଗାୟକ ଥିଲେ।
ଭୁପେନ୍ଦ୍ର ସିଂ ୬ ଫେବୃଆରୀ ୧୯୪୦ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରଫେସର ନାଥା ସିଂ ମଧ୍ୟ ଜଣେ ମହାନ ସଂଗୀତଜ୍ଞ ଥିଲେ।