ପରଲୋକରେ ଭେଟେରାନ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

କୋଲକାତା,୧୫।୨: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପରେ ଆଉ ଜଣେ ଲୋକପ୍ରିୟ ଗାୟିକା ଦୁନିଆରୁ ବିଦାୟ ନେଇଛନ୍ତି। ୯୦ ବର୍ଷ ବୟସରେ ଭେଟେରାନ ବଙ୍ଗାଳୀ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ମଙ୍ଗଳବାର ପରଲୋକ ଘଟିଛି। ଚଳିତ ବର୍ଷ ୭୩ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଦେବା ଲାଗି ତାଙ୍କ ନାମ ମନୋନୀତ କରାଯାଇଥିଲା। ହେଲେ ସେ ଏହାକୁ ନେବାକୁ ପ୍ରତ୍ୟାଖ୍ୟାନ କରିଦେଇ ଚର୍ଚ୍ଚାକୁ ଆସିଥିଲେ।

ଗାଧୁଆଘରେ ପଡ଼ିଯିବା ଯୋଗୁ ସନ୍ଧ୍ୟା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ହେବା ସହ ଜ୍ୱର ରହିଥିଲା। ଜାନୁୟାରୀ ୨୭ରେ ଗାୟିକାଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ତାଙ୍କୁ କୋଲକାତା ପୋଲିସ ଦ୍ୱାରା ଗ୍ରିନ୍‌ କୋରିଡର କରାଯାଇ ସରକାରୀ ଏସ୍‌ଏସ୍‌କେଏମ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ହଠାତ୍‌ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା। ଡାକ୍ତରୀ ଟିମ୍‌ ତାଙ୍କ ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ହେଁ ତାଙ୍କୁ ରକ୍ଷା କରିପାରି ନ ଥିଲେ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

୧୯୩୧ରେ ଜନ୍ମିତ ସନ୍ଧ୍ୟା ହଜାରରୁ ଊର୍ଦ୍ଧ୍ୱ ବଙ୍ଗଳା ଗୀତ ଗାଇଛନ୍ତି। ତାଙ୍କର ଉଲ୍ଲେଖନୀୟ ଅବଦାନକୁ ନେଇ ୨୦୦୧ରେ ପଞ୍ଚିମବଙ୍ଗ ସରକାର ନିଜର ସବୁଠାରୁ ବଡ଼ ନାଗରିକ ପୁରସ୍କାର ବଙ୍ଗା ବିଭୂଷଣରେ ସମ୍ମାନିତ କରିଥିଲେ।

Share