ସାମୂହିକ ଛୁଟିରେ ପ୍ରାଣୀଚିକିତ୍ସକ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ପ୍ରାଣୀଚିକିତ୍ସକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବରଗଡ଼ ଜିଲାର ପ୍ରାଣୀଚିକିତ୍ସକମାନେ ସାମୂହିକ ଛୁଟି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ମାସ ୧୮ରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନକୁ ୧୯ଦିନ ବିତି ଯାଇଛି। ଏହାସତ୍ତ୍ବେ ସରକାର ପ୍ରାଣୀ ଚିକିତ୍ସକଙ୍କ ଦାବି ସମୂହ ଉପରେ କିଛି ପଦକ୍ଷେପ ନେଉ ନ ଥିବା ଯୋଗୁ ଆନ୍ଦୋଳନ ତେଜି ଉଠିଛି।

ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ପ୍ରାଣୀ ସମ୍ପଦ ଚିକିତ୍ସାରେ ବାଧା ଉପୁଜିଛି। ଜିଲାର ୧୯ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ଠପ୍‌ ପଡ଼ି ଯାଇଛି। ପ୍ରାଣୀଧନ ନିରୀକ୍ଷକ ଏବଂ ପିଅନଙ୍କ ହାତରେ ସେହି ଚିକିତ୍ସା ବ୍ୟବସ୍ଥାକୁ ଠେଲି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକଙ୍କ ସହିତ ସମାନ ପଦୋନ୍ନତି ସୁବିଧା, କେନ୍ଦ୍ର ହାରରେ ଏନ.ପି.ଏ ପ୍ରଦାନ, ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି, କ୍ୟାଡ଼ର ପୁନର୍ଗଠନ ନେଇ ପ୍ରାଣୀ ଚିକିତ୍ସକମାନେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ମାତ୍ର ସରକାର ଏହାକୁ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି।

Share