ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ୱର, ୨୨ା୩ (ବ୍ୟୁରୋ):କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ତୁରନ୍ତ ଆଇନ ପ୍ରଣୟନ ସମେତ ବିଭିନ୍ନ ଦାବି ନେଇ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ। ସଂଘ ଅଭିଯୋଗ କରିଛି ଯେ, ପ୍ରାଣୀଚିକିତ୍ସକମାନେ ବାକ୍‌ଶକ୍ତିହୀନ ପ୍ରାଣୀମାନଙ୍କର କଲ୍ୟାଣ, ଗ୍ରାମୀଣ କୃଷି ସମ୍ପ୍ରଦାୟର ଜୀବିକା, ଜନସ୍ବାସ୍ଥ୍ୟର ସୁରକ୍ଷା ତଥା ପ୍ରାଣୀ ସମ୍ପଦ ବିକାଶ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାାଇଁ କଠିନ ପରିଶ୍ରମ କରୁଛନ୍ତି। ମାନବ ସମ୍ବଳ, ସାମଗ୍ରୀ ଓ ଭିତ୍ତିଭୂମି କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ ନିଜର ଉତ୍ତର ଦାୟିତ୍ୱ ନିର୍ବାହ ପାଇଁ ପାରିବାରିକ ସମୟ ଓ ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ ଉପଯୋଗ କରିବାକୁ ଦ୍ୱିଧା କରନ୍ତି ନାହିଁ। ଅନେକ ସମୟରେ ସେମାନେ କାର୍ଯ୍ୟକ୍ଷେତ୍ରରେ ଆକ୍ରମଣର ଶିକାର ହେଉଛନ୍ତି। ନିକଟରେ ବୌଦ୍ଧ ଜିଲାର ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା ଏକ ଗାଈକୁ ଚିକିତ୍ସା ଯୋଗାଇ ଦେବାକୁ ଯାଇ ଅତ୍ୟନ୍ତ କଠିନ ପରିସ୍ଥିତିରେ ତା’ର ପ୍ରସବ କରାଉଥିବାବେଳେ ଅସାମାଜିକ ତଥା ଗୁଣ୍ଡାଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେମାନେ ମଧ୍ୟ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ସଂଘ ଦୃଢ଼ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛି। ସେହିଭଳି ନିରନ୍ତର ଚିକିତ୍ସା ସେବା ଯୋଗାଇଦେବା ପାଇଁ ପ୍ରାଣୀ ଚିକିତ୍ସାଳୟଗୁଡ଼ିକରେ ସିଫ୍ଟରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ଡାକ୍ତର ଓ କର୍ମଚାରୀ ନିୟୋଜିତ କରାଯାଉ, ପ୍ରାଣୀଚିକିତ୍ସକଙ୍କ ଶିକ୍ଷାଗତ ଯୋଗ୍ୟତା, ଚାକିରିର ପ୍ରକୃତି ଓ କାର୍ଯ୍ୟାବଳୀ ମେଡିକାଲ ଅଫିସରଙ୍କଠାରୁ ଭିନ୍ନ ହୋଇ ନ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରଣୟନ ଆଇନଙ୍କୁ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଲାଗୁ କରାଯାଉ। ଏଥିସହ ମେଡିକାଲ ଅଧିକାରୀଙ୍କ ଭଳି ସମାନ ଦରମା, କ୍ୟାରିୟର ପ୍ରୋଗ୍ରେଶନ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ନିଶ୍ଚିତ କରାଯାଉ ବୋଲି ସଂଘ ଦାବି କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛି।

Share