ନୂଆଦିଲ୍ଲୀ,୮ା୪:କଲେଜ ଓ୍ବାୟନାଡ୍ ଜିଲାର ଏକ କଲେଜ ହଷ୍ଟେଲରେ ଜଣେ ୨୦ ବର୍ଷୀୟ ଭେଟେରିନାରି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଛି। ଫେବୃଆରୀ ୧୮ ତାରିଖରେ ସିଦ୍ଧାର୍ଥନ ଜେଏସ୍ ନାମକ ଏହି ଛାତ୍ରଙ୍କ ମୃତଦେହ ହଷ୍ଟେଲ ବାଥ୍ରୁମ୍ରୁ ମିଳିଥିଲା। ଅନ୍ୟ ଛାତ୍ର ତଥା ଷ୍ଟୁଡେଣ୍ଟସ୍ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) କର୍ମୀମାନେ ତାଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଛାତ୍ରଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସିଦ୍ଧାର୍ଥନ ଆତ୍ମହତ୍ୟା କରିବା ପୂର୍ବରୁ ସିନିୟର ଓ ସହପାଠୀମାନେ ତାଙ୍କୁ କ୍ରମାଗତ ୨୯ ଘଣ୍ଟା ମାଡ଼ ମାରିଥିଲେ। ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି କେରଳ ପୋଲିସ କହିଛି। ଫେବୃଆରୀ ୧୬ ସକାଳ ୯ରୁ ୧୭ ତାରିଖ ଅପରାହ୍ନ ୨ଟା ଯାଏ ଅତି ନିଷ୍ଠୁର ନିର୍ଯାତନା ଦିଆଯାଇଥିଲା। ତାଙ୍କୁ ଏଭଳି ମାନସିକ ଆଘାତ ଦିଆଯାଇଥିଲା ଯେ ଆତ୍ମହତ୍ୟା କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା। ୧୮ ତାରିଖ ମଧ୍ୟାହ୍ନରେ ସେ ହଷ୍ଟେଲ ବାଥ୍ରୁମ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ନେଇ ପୋଲିସ ମାମଲା ରୁଜୁ କରିଥିବାବେଳେ ଏହାକୁ ସିବିଆଇକୁ ହସ୍ତାନ୍ତର କରିଛି।