
କୋକସରା,୨୬ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜି ହେଉଛି ମହା ଶିବରାତ୍ରି, ଦେଶର କୋଣ ଅନୁକୋଣରେ ଥିବା ଶୈବପୀଠରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁ ମାନେ ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଅନୁରୂପ ଭାବେ କୋକସରା ବ୍ଲକର ବିଭିନ୍ନ ଶୈବପୀଠରେ ସକାଳୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।
ବ୍ଲକର ବଡକେନ୍ଦୁଗୁଡା ଝାରବନ୍ଧ ଠାରେ ଥିବା ସର୍ଵ ପୁରାତନ ଶୈବପୀଠ ବାବା ଶ୍ରୀ କାଳେଶ୍ୱର ମନ୍ଦିର, କୋକସରା କାଳେଶ୍ୱର ଶୈବପୀଠ, କୁସୁମଖୁଣ୍ଟି ନିଲକଣ୍ଠେଶ୍ୱର ଶୈବପୀଠ, ଓଲମା ଗ୍ରାମ କାଳେଶ୍ୱର ଶୈବପୀଠ, ଫୁଫଗାଁ ପାହାଡ଼େଶ୍ବର ଶୈବପୀଠ, କୁମୁଡାମୁଣ୍ଡା ଧବଳେଶ୍ବର ଶୈବପୀଠ, ରେଙ୍ଗାଳପାଲି ଶୈବପୀଠ, ମୋଟେର ଶୈବପୀଠ, ଲଡୁଗାଁ ଶୈବପୀଠ, ଶିଉନି ଶୈବପୀଠ, ଡୋକରିଚଞ୍ଚରା ଝାଡେଶ୍ୱର ଶୈବପୀଠ, ଝରିଆଗୁଡା ଶୈବପୀଠ, ମୁନୁଗାପଦର କାଳେଶ୍ୱର ଶୈବପୀଠ, ଡ଼ହଗାଁ ଶୈବପୀଠରେ ଶିବରାତ୍ରି ଓ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି।
ଶିବରାତ୍ରି ଜାଗର ଅବସରରେ ମାନସିକ ଧାରୀ ପୁରୁଷ, ମହିଳା ଶ୍ରଦ୍ଧାଳୁ ମାନେ ସନ୍ଧ୍ୟାରେ ଜାଗର ଦୀପ ଜାଳି ମନ୍ଦିର ବେଢ଼ାରେ ଉପବାସ ରଖି ମହାଦୀପ ମନ୍ଦିରକୁ ଉଠିବା ପରେ ଉପବାସ ଭାଙ୍ଗି ପ୍ରସାଦ ସେବନ କରିଥିଲେ। ଅନେକ ଶୈବପୀଠରେ ଅଷ୍ଟ ପ୍ରହର ନାମଯଜ୍ଞ ସମେତ ରାତିରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ରାତିରେ ଭଜନ ସନ୍ଧ୍ୟା, ନାଟକ ଆଦି କାର୍ଯ୍ୟକ୍ରମ ମନ୍ଦିର କମିଟି ପକ୍ଷରୁ କରାଯାଇଛି।