Categories: ଜାତୀୟ

ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୭।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ଭାବେ ପ୍ରାର୍ଥୀ କରାଯାଇଛି। ଏନେଇ ଏନ୍‌ସିପି ନେତା ଶରଦ ପାଓ୍ବାର ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ମାର୍ଗାରେଟ୍‌ ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ଶନିବାର ଏନ୍‌ଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି।
ଏହାପୂର୍ବରୁ ଦିଲ୍ଲୀରେ ଶରଦ ପାୱାରଙ୍କ ବାସଭବନରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ସିପିଆଇ (ଏମ) ନେତା ସୀତାରାମ ୟେଚୁରୀ, ଶିବସେନା ନେତା ସଞ୍ଜୟ ରାଉତ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୧୯। ଏହାର ଦିନକ ପରେ ଅର୍ଥାତ୍‌ ୨୦ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୨୨ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ।

Share