Categories: ଜାତୀୟ

ଭାଜପା,ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବି ନାହିଁ: ମାର୍ଗାରେଟ ଆଲ୍‌ଭା

ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲ୍‌ଭା ଭାଜପା, ବିଜେଡି ଏବଂ ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବେ ନାହିଁ ବୋଲି କହିଛନ୍ତି।
ସେ କହିଛନ୍ତି,ଭାଜପାର କିଛି ବନ୍ଧୁଙ୍କ ସହ କଥା ହେବା ପରେ ତାଙ୍କ ମୋବାଇଲ ଫୋନରୁ ହଠାତ୍‌ କଲ ଯାଉ ନାହିଁ କିମ୍ବା ଆସୁ ନାହିଁ। ଏଥିପାଇଁ ସେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନଏଲ୍‌କୁ ଦାୟୀ କରିଛନ୍ତି। ମୋ ଫୋନ୍‌ ପୁଣି ସ୍ବାଭାବିକ ହେଲେ ମୁଁ ଭାରତୀୟ ଜନତା ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ବିଜୁ ଜନତା ଦଳର କୌଣସି ଏମ୍‌ପିଙ୍କୁ ଫୋନ କରିବି ନାହିଁ ବୋଲି ପ୍ରତିଶ୍ରୁତି ଦେଉଛି।
ଏମ୍‌ଟିଏନଏଲ୍‌ ପକ୍ଷରୁ ଆଲ୍‌ଭାଙ୍କ କଓ୍ବୋଇସିକୁ ସ୍ଥଗିତ ରଖାଯାଇଛି। ୨୪ ଘଣ୍ଟା ଭିତରେ ସିମ କାର୍ଡ ବ୍ଲକ ହୋଇଯିବ ବୋଲି ମଧ୍ୟ କୁହାଯାଇଛି। ଏନେଇ ଆଲ୍‌ଭା କଓ୍ବୋଇସି ଆବଶ୍ୟକ କି ବୋଲି ଏମ୍‌ଟିଏନଏଲ୍‌କୁ ଟୁଇଟର୍‌ରେ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ମାର୍ଗେଟ ଆଲ୍‌ଭାଙ୍କ ବିପକ୍ଷରେ ଏନ୍‌ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଛନ୍ତି।

Share