ଶୁଟିଂ ସେଟ୍‌ରେ ବିକି କୌଶଲ ଆହତ: ମୁହଁରେ ପଡ଼ିଛି ୧୩ ଷ୍ଟିଚ୍‌

ମୁମ୍ବାଇ,୨୦।୪: ସଞ୍ଜୁ ଓ ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ଅଭିନେତା ବିକି କୌଶଲ ଏବେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ବିକି କୌଶଲ ତାଙ୍କ ଆଗାମୀ ହରର୍‌ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ସେ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାନୁପ୍ରତାପ ସିଂହଙ୍କ ନିର୍ଦ୍ଦେଶିତ ଅନ୍‌ଟାଇଟଲ୍‌ ହରର୍‌ ଫିଲ୍ମର ଶୁଟିଂ ଗୁଜରାଟରେ ଚାଲୁଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ପାଟିର ହାଡ଼ ଫ୍ରାକଚର ହୋଇଥିବା କହିଥିଲେ। ତାଙ୍କ ପାଟିରେ ୧୩ଟି ଷ୍ଟିଚ୍‌ ପଡ଼ିଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ବିକି ମୁମ୍ବାଇରେ ପହଞ୍ଚି ବିଶେଷଜ୍ଞଙ୍କ ପରାମର୍ଶ ନେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଫିଲ୍ମର ସେଟ ଗୁଜରାଟର ବଡ଼ ସିପିଙ୍ଗ ୟାର୍ଡରେ ଲଗାଯାଇଥିବା ବେଳେ ରାତିରେ ଶୁଟିଂ ଚାଲୁଥିଲା। ବିକି ଆକ୍ସନ ସିନ୍‌ କରୁଥିବା ବେଳେ ତାଙ୍କ ଉପରେ ଏକ କବାଟ ପଡ଼ିଯିବାରୁ ଏହି ଅଘଟଣ ଘଟିଥିଲା। ଗୁଜରାଟରେ ସେ ୫ଦିନିଆ ଶୁଟିଂ କରିଥିଲେ। ଫିଲ୍ମର ପ୍ରଥମ ଭାଗ ମୁମ୍ବାଇରେ ଶୁଟିଂ କରାଯାଇଥିଲା। ଏହି ହରର୍‌ ଫିଲ୍ମର ପ୍ରଯୋଜନା କରନ୍‌ ଜୋହର କରିଥିବା ବେଳେ ନିର୍ଦ୍ଦେଶକ ଭାନୁ ପ୍ରତାପ ସିଂହ ଏଥିରୁ ଡେବ୍ୟୁ କରିଛନ୍ତି। ଫିଲ୍ମରେ ବିକି କୌଶଲଙ୍କ ବିପକ୍ଷରେ ଭୂମି ପେଦନେକର ନଜର ଆସିବେ। ଏହି ଫିଲ୍ମର କାହାଣୀ ସମୁଦ୍ର ଉପକୂଳରେ ପଡ଼ିରହିଥିବା ଜାହାଜକୁ ନେଇ ଗତିଶୀଳ ହୋଇଛି। ତେବେ ଚଳିତବର୍ଷ ଏହି ଫିଲ୍ମ ପରଦାକୁ ଆସିବ ବୋଲି ସମ୍ଭାବନା ରହିଛି।

Share