Categories: ଜାତୀୟ

ପୀଡ଼ିତାଙ୍କୁ ଧମକ, ପିତାଙ୍କୁ ହତ୍ୟା

ଲକ୍ଷ୍ନୌ,୩ା୩ : ଦୟାକରି ମୋତେ ନ୍ୟାୟ ଦିଅ। ପ୍ରଥମେ ସେ ମୋତେ ବଳାତ୍କାର କରିଥିଲେ। ଏବେ ମୋ ବାପାଙ୍କୁ ଗୁଳି କରି ମାରିଦେଇଛନ୍ତି। ମୋତେ ନ୍ୟାୟ ମିଳୁ ବୋଲି ଥାନା ସାମ୍ନାରେ ପୀଡ଼ିତା କାନ୍ଦୁଛନ୍ତି। ଖବରଦାତାମାନଙ୍କ ମୋବାଇଲରେ କଏଦ ହୋଇଥିବା ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ଗୁଳି ଚଳାଇଥିବା ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗକୁ ନିର୍ବାଚନ ପ୍ରଚାରରେ ଯାଇଛନ୍ତି। ସେଠାରେ କହିଛନ୍ତି, ଭାଜପା କ୍ଷମତାକୁ ଆସିଲେ ୨୪ ଘଣ୍ଟା ଭିତରେ ଗୋ ଚାଲାଣ ବନ୍ଦ କରିଦେବୁ ।

ବଳାତ୍କାର, ଯୌନ ହିଂସାକୁ ନେଇ ନିନ୍ଦିତ ଉତ୍ତର ପ୍ରଦେଶର ହାଥରସ୍‌ ପୁଣି ଥରେ ଚର୍ଚ୍ଚାରେ। ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ମାସେ ଜେଲ୍‌ରେ ରହି ଜାମିନରେ ମୁକୁଳିଥିଲେ। ସୋମବାର ଅପରାହ୍ନ ୪ଟା ୩୦ରେ ଗାଁ ମନ୍ଦିର ବାହାରେ ଅଭିଯୁକ୍ତ ଓ ପୀଡ଼ିତ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଭିଯୁକ୍ତ ଏଥିରେ ଉତ୍ତ୍ୟକ୍ତ ହୋଇ ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଗୁଳିମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ୨୦୧୮ ଜୁଲାଇରେ ଗୌରବ ଶର୍ମାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗୌରବଙ୍କୁ ପୋଲିସ ଗିରଫ କରି ଜେଲ୍‌କୁ ପଠାଇଦେଇଥିଲା। ମାସେ ଯିବା ପରେ ଏକ ସ୍ଥାନୀୟ କୋର୍ଟରୁ ଜାମିନ ପାଇ ଗୌରବ ମୁକୁଳିଥିଲେ। ସେବେଠୁ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଗୌରବଙ୍କ ସ୍ତ୍ରୀ ଓ ଖୁଡୀ ସୋମବାର ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ମୃତକଙ୍କ ଦୁଇଝିଅଙ୍କ ସହ ସେମାନଙ୍କ କଥା କଟାକଟି ହୋଇଥିଲା। ଏଥିରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବାପା ହସ୍ତକ୍ଷେପ କରିଥିଲେ। ଦୁହଁିଙ୍କ ଯୁକ୍ତିତର୍କରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଅଭିଯୁକ୍ତ ଗୌରବ ଘରକୁ ଯାଇ ଆଉ କେତେଜଣ ପୁରୁଷ ସଦସ୍ୟଙ୍କୁ ସେଠାକୁ ଡାକି ଆଣିଥିଲେ। ସେମାନେ ମିଶି ପୀଡ଼ିତାଙ୍କ ବାପାଙ୍କୁ ଗୁଳି କରିଥିଲେ। ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲକୁ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ହାଥ୍‌ରସ ପୋଲିସ ମୁଖ୍ୟ ବିନିତ ଜୟସ୍ବାଲ ଟୁଇଟରରେ ଏକ ଭିଡିଓ ଜାରି କରି ଏହା ପ୍ରକାଶ କରିଛନ୍ତି। ଏହି ମାମଲାରେ ଗୌରବଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଗୌରବ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିପାରି ନାହିଁ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଫିସରମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଯାଇଛନ୍ତି।

ମାମଲା ପ୍ରତ୍ୟାହାର ନ କରିବାରୁ ବାପାଙ୍କୁ ମାରିଦେଲେ
ଗୌରବ ଶର୍ମା ମୋତେ ବଳାତ୍କାର କରିଥିଲେ। ମୋ ବାପା ଏନେଇ ଥାନାରେ ଏତଲା ଦେଇଥିଲେ। ଗୌରବ କିଛି ଦିନ ଜେଲରେ ରହି ଜାମିନରେ ଆସିଥିଲେ। ବାପାଙ୍କ ଉପରେ ସବୁବେଳେ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଉଥିଲେ। ସୋମବାର ମୋ ସାନଭଉଣୀ ଓ ମୁଁ ଗାଁ ମନ୍ଦିରକୁ ଯାଇଥିଲୁ। ଗୌରବ, ତାଙ୍କ ସ୍ତ୍ରୀ ଓ ଅନ୍ୟ ଦୁଇ ସମ୍ପର୍କୀୟ ସେଠରେ ଥିଲେ। ସେମାନେ ଆମକୁ କମେଣ୍ଟ ମାରିଥିଲେ। ଆମେ ସ୍ଥାନ ଛାଡ଼ି ଚାଲିଆସିଥିଲୁ।
ବାପା ଆଳୁ ଚାଷ କରିଥିବା ଆମ ବିଲକୁ ଯାଇଥିଲୁ। ଗୌରବ ଓ ତାଙ୍କ ସହଯୋଗୀମାନେ ସେଠାକୁ ଆସି ଆମକୁ ପୁଣି ଗାଳି କରିଥିଲେ। ମୁଁ ପ୍ରତିବାଦ କରିବାରୁ ସେମାନେ ମୋତେ ଦୁର୍ବ୍ୟବହାର କରିଥିଲେ। ଜାଗା ଛାଡ଼ି ଚାଲିଯିବା ପୂର୍ବରୁ ସେମାନେ ମୋତେ ଧମକ ଦେଇଥିଲେ। ଏହାର ଦୁଇ ଘଣ୍ଟା ପରେ ଅର୍ଥାତ୍‌ ଅପରାହ୍ନ ୩ଟା ୩୦ରେ ଗୌରବ ୪-୫ ଜଣଙ୍କୁ ଧରି ଆସି ମୋ ବାପଙ୍କୁ ଗୁଳି କରି ହତ୍ୟା କଲେ ବୋଲି ବଳାତ୍କାର ପୀଡ଼ିତା କାନ୍ଦି କାନ୍ଦି କହିଛନ୍ତି।

Share