ମାସ୍କ ନ ପିନ୍ଧିବାରୁ ଯୁବତୀଙ୍କ ତଣ୍ଟି ଚିପିଦେଲା ପୋଲିସ

ମେଲବୋର୍ନ, ୧୨।୮: ଅଷ୍ଟ୍ରେଲିଆରେ ଜଣେ ଯୁବତୀ ମାସ୍କ ପରିଧାନ କରି ନ ଥିବାରୁ ଜଣେ ପୋଲିସ ଅଧିକାରୀ ତାଙ୍କ ତଣ୍ଟି ଚିପିଦେଇଥିବା ଦେଖିବାକୁ ମିଳିଛି। ଏଥିସହ ପୋଲିସ ସେହି ଯୁବତୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ଅଧିକାରୀଜଣଙ୍କ ଯୁବତୀଙ୍କ ତଣ୍ଟି ଚିପି ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ନାପସନ୍ଦ କରିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ, ସୋମବାର ଅପରାହ୍ନରେ ମେଲବୋର୍ନର କଲିଂଉଡ୍‌ସ୍ଥିତ ଓ୍ବେଲିଂଟନ୍‌ ଷ୍ଟ୍ରିଟ୍‌ରେ ଜଣେ ଯୁବତୀ ବିନା ମାସ୍କରେ ଯାଉଥିଲେ। ଏହାପରେ ଦୁଇଜଣ ପୋଲିସ ଅଧିକାରୀ ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଠେଲାପେଲା ମଧ୍ୟରେ ଜଣେ ପୋଲିସ ଅଧିକାରୀ ଯୁବତୀଙ୍କ ତଣ୍ଟିକୁ ଧରି କାନ୍ଥରେ ଚିପି ଦେଇଥିଲେ। ଏହାପରେ ତାଙ୍କୁ ଭୂମିରେ ପକାଇ ପଛପଟୁ ମାଡ଼ି ବସି ଗିରଫ କରିଥିଲେ। ଯୁବତୀ ଜଣଙ୍କ ତାଙ୍କୁ ଅଣନିଶ୍ୱାସୀ ଲାଗୁଛି ବୋଲି କହିଥିଲେ ମଧ୍ୟ ପୋଲିସ ଅଧିକାରୀଜଣଙ୍କ ସେମିତି ତଣ୍ଟି ଚିପି ଧରିଥିଲେ। ଗିରଫଦାରୀକୁ ବିରୋଧ କରିବା ଏବଂ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଅନେକ ପସନ୍ଦ କରିନାହାନ୍ତି। ଏହାର ତଦନ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share