Categories: ଖେଳ

ବିଜୟୀ ବସନ୍ତ

ବିଜୟରୁ କ୍ୟାରିୟର ଆରମ୍ଭ ଓ ଶେଷ । ଜଣେ ଖେଳାଳି ପ୍ରଥମ ଓ ଶେଷ ଉଇକେଟ । ୨୩ ଥର ୫ ଉଇକେଟ ସଫଳତା । ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିଆରେ ରାଜୁତି ପରେ ବିରଳ ରେକର୍ଡ ସହ କ୍ରିକେଟକୁ ଜଣାଇଛନ୍ତି ଅଲ୍‌ବିଦା। ଏହି ଖେଳାଳି ଜଣକ ହେଉଛନ୍ତି ଓଡ଼ିଶା କ୍ରିକେଟ୍‌ର ଋତୁରାଜ, ବସନ୍ତ ମହାନ୍ତି।
ବିଜୟରୁ ଆରମ୍ଭ, ବିଜୟରେ ଶେଷ। ପ୍ରଥମ ଉଇକେଟ ଯିଏ, ଶେଷ ଉଇକେଟ ମଧ୍ୟ ସିଏ। ୨୩ ଥର ୫ ଉଇକେଟ, ୩ ଥର ୧୦(ମ୍ୟାଚରେ) ଉଇକେଟ ସଫଳତା। ଦୀର୍ଘ ଦେଢ଼ ଦଶନ୍ଧିର ଓଡ଼ିଶା କ୍ରିକେଟ ଜୟଯାତ୍ରାରେ ସେ ଥିଲେ ଅନ୍ୟତମ କର୍ଣ୍ଣଧାର। ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିଆରେ ରାଜୁତି ପରେ ଏଭଳି ଅଭୁଲା ଏବଂ ବିରଳ ରେକର୍ଡ ସହ କ୍ରିକେଟକୁ ଜଣାଇଛନ୍ତି ଅଲ୍‌ବିଦା। ସେ ଥିଲେ ଓଡ଼ିଶା କ୍ରିକେଟର ଋତୁରାଜ, ଦ୍ରୁତ ବୋଲର ବସନ୍ତ ମହାନ୍ତି।
ହକି ବିଶ୍ୱକପ୍‌ର ଉଷ୍ମତା ମଧ୍ୟରେ ଚର୍ଚ୍ଚାକୁ ଆସିଥିଲା ଓଡ଼ିଶା କ୍ରିକେଟ। ଏହାର କେନ୍ଦ୍ରବିନ୍ଦୁ ଥିଲେ ଭାରତୀୟ ଘରୋଇ କ୍ରିକେଟର ଅନ୍ୟତମ ମହାନ୍‌ ବୋଲର ବସନ୍ତ ମହାନ୍ତି। କୋଲକାତାର ଇଡେନ ଗାର୍ଡେନ୍ସଠାରେ ବେଙ୍ଗଲ ବିପକ୍ଷରେ ରଣଜୀ ଟ୍ରଫି ଖେଳି ନିଜ ପେସାଦାର କ୍ରିକେଟକୁ ଅଲ୍‌ବିଦା ଜଣାଇଥିଲେ ବସନ୍ତ। ଏଥିସହିତ ତାଙ୍କ ଜଜ୍ଜ୍ୱଲ୍ୟମାନ କ୍ୟାରିୟରର ଅବସାନ ଘଟି ଥିଲା। ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ହଠାତ୍‌ କିଛି ନିଷ୍ପତ୍ତି ନେଇ ନ ଥିବା ବସନ୍ତ କ୍ରିକେଟ ସହିତ ଜଡ଼ିତ ହୋଇ ରହିବାକୁ ଚାହାନ୍ତି ବୋଲି କିନ୍ତୁ ସ୍ପଷ୍ଟ କରିଛନ୍ତି। ୧୫ ସିଜନର ପ୍ରଥମ ଶ୍ରେଣୀ କ୍ରିକେଟ ଜୀବନରେ ୧୦୫ ମ୍ୟାଚ ଖେଳି ସେ ନେଇଛନ୍ତି ୪୦୩ ଉଇକେଟ। ରାଜ୍ୟର ପ୍ରଥମ ଅନ୍ତର୍ଜାତୟ ଖ୍ୟାତିସମ୍ପନ୍ନ କ୍ରିକେଟର ଦେବାଶିଷ ମହାନ୍ତି ୪୧୭ ଉଇକେଟ ନେଇ ଏହି ତାଲିକାର ଶୀର୍ଷରେ ରହିଥିବାବେଳେ ଦ୍ୱିତୀୟ ଓଡ଼ିଶା ବୋଲରଭାବେ ହିମାଚଳ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ୪୦୦ ଉଇକେଟର ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ ବସନ୍ତ। ବେଙ୍ଗଲ ବିପକ୍ଷରେ ନିଜର ଶେଷ ମ୍ୟାଚରେ ସେ ୩ ଉଇକେଟ ହାସଲ କରିଥିଲେ। ୧୬ ବର୍ଷର କ୍ୟାରିୟରରେ ଓଡ଼ିଶା କ୍ରିକେଟର ଅନେକ ସ୍ମରଣୀୟ ମୁହୂର୍ତ୍ତ ସହ ଜଡ଼ିତ ଥିଲେ ଏହି ଦ୍ରୁତ ବୋଲର। ଜାତୀୟ ଦଳରେ ସାମିଲ ହେବାରୁ ଯଦିଓ ବଞ୍ଚତ୍ତ ହୋଇଥିଲେ ତେବେ ଘରୋଇ କ୍ରିକେଟର ଅନ୍ୟତମ ଅପ୍ରତିଦ୍ୱନ୍ଦ୍ୱୀ ବାଦ୍‌ଶାହ ଭାବେ ନିଜକୁ ପ୍ରମାଣିତ କରିଥିଲେ।
ପ୍ରଥମ ଶ୍ରେଣୀ କ୍ରିକେଟରେ ବସନ୍ତଙ୍କ ପ୍ରଥମ ଉଇକେଟ ଥିଲେ ବେଙ୍ଗଲର ମନୋଜ ତିଓ୍ବାରୀ। ୨୦୦୭ରେ ସିଲିଗୁଡ଼ିଠାରେ ଏହି ମ୍ୟାଚ ଖେଳାଯାଇଥିଲା। ଘଟଣାକ୍ରମରେ ସେ କ୍ୟାରିୟରର ଶେଷ ମ୍ୟାଚ ମଧ୍ୟ ବେଙ୍ଗଲ ବିପକ୍ଷରେ ଖେଳିଥିଲେ ଏବଂ ଏହାର ଅଧିନାୟକ ଥିଲେ ମନୋଜ। ତେଣୁ ମ୍ୟାଚ ପୂର୍ବରୁ ସେ ତିଓ୍ବାରୀଙ୍କ ଉଇକେଟ ନେଇ କ୍ୟାରିୟର ଶେଷ କରିବାକୁ ଆଶାପୋଷଣ କରିଥିଲେ। ବସନ୍ତଙ୍କ ଏଭଳି ଅଭିଳାଷକୁ ସୋସିଆଲ ମିଡିଆ ମାଧ୍ୟମରେ ନଜରକୁ ଆଣିଥିଲେ ବେଙ୍ଗଲ ଅଧିନାୟକ ତଥା କ୍ରୀଡ଼ାମନ୍ତ୍ରୀ ମନୋଜ ତିଓ୍ବାରୀ। ସଂଯୋଗ ବଶତଃ ବସନ୍ତଙ୍କ ଅଭିଳାଷ ପୂରଣ ହୋଇଥିଲା ଏବଂ ତାଙ୍କ ଶେଷ ଉଇକେଟ ମଧ୍ୟ ଥିଲେ ମନୋଜ। ତେଣୁ ଯାହାଙ୍କ ଉଇକେଟ ନେଇ ବସନ୍ତ କ୍ୟାରିୟର ଆରମ୍ଭ କରିଥିଲେ ସେହି ଖେଳାଳିଙ୍କୁ ଆଉଟ କରି ହିଁ କ୍ୟାରିୟର ଶେଷ କଲେ। ତାଙ୍କ କ୍ରିକେଟ ଜୀବନକୁ ଏଭଳି ସ୍ମରଣୀୟ କରିବା କ୍ଷେତ୍ରରେ ଦୁଇଜଣ ସହାୟତା କରିଥିଲେ। ସେ ଦୁହେଁ ହେଲେ ଉଇକେଟ କିପର ହଳଧର ଦାସ (୨୦୦୭) ଓ ଶାନ୍ତନୁ ମିଶ୍ର (୨୦୨୩)। ଆଉଏକ ସଂଯୋଗ ହେଲା ବସନ୍ତଙ୍କ ପ୍ରଥମ ଓ ଶେଷ ମ୍ୟାଚରେ ଓଡ଼ିଶା ବିଜୟୀ ହୋଇଥିଲା। ଅଧିକାଂଶ ସିଜନରେ ବେଙ୍ଗଲ ବିପକ୍ଷରେ ଓଡ଼ିଶା ସଂଘର୍ଷ କରୁଥିବାବେଳେ ୨୦୦୭ରେ ସିଲିଗୁଡ଼ିରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୬ ଉଇକେଟରେ ବିଜୟ ହାସଲ କରିଥିଲା। ଦେବାଶିଷ ମହାନ୍ତି, ପ୍ରୀତମଜିତ ଦାସ ଓ ପି. ଜୟଚନ୍ଦ୍ରଙ୍କ ଉପସ୍ଥିତି ସତ୍ତ୍ୱେ ବସନ୍ତ ନିଜର ୮.୩ ଓଭର ସ୍ପେଲ୍‌ରେ ୨ଟି ମେଡେନ ନେବାସହ ମାତ୍ର ୨୮ ରନଦେଇ ୬ ଉଇକେଟ ସଫଳତା ପାଇଥିଲେ। ଓଡ଼ିଶା ପ୍ରଥମ ଇନିଂସରେ ଯଦିଓ ମାତ୍ର ୯୯ ରନରେ ଅଲ୍‌ଆଉଟ ହୋଇଯାଇଥିଲା ତେବେ ବେଙ୍ଗଲର ଦ୍ୱିତୀୟ ଇନିଂସକୁ ୧୨୪ ରନରେ ସୀମିତ ରଖିବାରେ ଦେବାଶିଷ (୪/୩୮) ଓ ପ୍ରୀତମଜିତ (୩/୪୦)ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ବସନ୍ତ (୨/୨୯)। ୧୩୩ ରନର ବିଜୟ ଲକ୍ଷ୍ୟକୁ ଓଡ଼ିଶା ୪ ଉଇକେଟ ହରାଇ ହାସଲ କରି ନେଇଥିଲା। କୋଲକାତାର ଇଡେନ ଗାର୍ଡେନ୍ସରେ ୨୦୨୩ ଜାନୁୟାରୀ ୨୪ରୁ ୨୭ ପର୍ଯ୍ୟନ୍ତ ବସନ୍ତ କ୍ୟାରିୟରର ୧୦୫ତମ ତଥା ଶେଷ ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିଲେ। ଏଥିରେ ଓଡ଼ିଶା ୭ ଉଇକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚ ନିଶ୍ଚିତ ବସନ୍ତଙ୍କ ପାଇଁ ସ୍ମରଣୀୟ ରହିବ। ମ୍ୟାଚ ସମୟରେ ଉଭୟ ଦଳର ଖେଳାଳିଙ୍କ ଗାର୍ଡ ଅଫ୍‌ ଅନର, ଶେଷରେ ଓଡ଼ିଶା ଖେଳାଳିମାନେ ଖୁସିରେ ଟେକିଧରିବା, ବେଙ୍ଗଲ କ୍ରିକେଟ ଆସୋସିଏଶନ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ସମ୍ବର୍ଦ୍ଧନା ଯେତେବେଳେ ବି ମନେପଡ଼ିବ ନିଶ୍ଚିତ ତାଙ୍କୁ ଉଲ୍ଲସିତ କରିବ। ଆଉଏକ ଉଲ୍ଲେଖନୀୟ ଘଟଣା ହେଲା ରେକର୍ଡ ଅନୁସାରେ ରଣଜୀ ଟ୍ରଫିରେ ବେଙ୍ଗଲ ବିପକ୍ଷରେ ଓଡ଼ିଶା ମାତ୍ର ୩ ଥର ବିଜୟ ସ୍ବାଦ ଚାଖିଛି। ଏହା ମଧ୍ୟରେ ବସନ୍ତ ୨ଟି ମ୍ୟାଚରେ ସମ୍ପୃକ୍ତ ରହିଛନ୍ତି। ଏହା ତାଙ୍କ କ୍ୟାରିୟରକୁ ଅଧିକ ଋଦ୍ଧିମନ୍ତ କରିଛି।

ମାଇଲଖୁଣ୍ଟ
୨୦୦୩-୦୪ ସିଜନରେ ଓଡ଼ିଶା ପକ୍ଷରୁ ୧୯ ବର୍ଷରୁ କମ୍‌ କ୍ରିକେଟ କ୍ୟାରିୟର ଆରମ୍ଭ କରନ୍ତି ବସନ୍ତ। ୨୦୦୪-୦୫ ସିଜନରେ ତାଙ୍କୁ ୨୨ ବର୍ଷରୁ କମ୍‌ ସି.କେ. ନାଇଡ଼ୁ ଟ୍ରଫି ପାଇଁ ରାଜ୍ୟ ଦଳରେ ମନୋନୀତ କରାଯାଏ। ୨୦୦୭ରୁ ଆରମ୍ଭ ହୁଏ ପ୍ରଥମ ଶ୍ରେଣୀ କ୍ୟାରିୟର। ନିଜର ପ୍ରଥମ ରଣଜୀ ଟ୍ରଫି ମ୍ୟାଚରେ ସେ ବେଙ୍ଗଲର ମନୋଜ ତିଓ୍ବାରୀ, ରିଦ୍ଧିମାନ ଶାହା, ଲକ୍ଷ୍ମୀରତନ ଶୁକ୍ଳା, କମଲ ହାସନ ମଣ୍ଡଳ, ସୌରଭ ସରକାର ଓ ଅଶୋକ ଦିଣ୍ଡାଙ୍କ ପରି ଖେଳାଳିଙ୍କୁ ଆଉଟ କରି ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଥିଲେ। ଦ୍ୱିତୀୟ ଇନିଂସରେ ତାଙ୍କର ଶିକାର ହୋଇଥିଲେ ରଣଦେବ ବୋଷ ଓ ଶିବଶଙ୍କର ପଲ। ୨୦୨୩ ଜାନୁୟାରୀ ୨୪ରୁ ୨୭ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳିଥିଲେ ପେସାଦାର କ୍ୟାରିୟରର ଶେଷ ମ୍ୟାଚ। ଏଥିରେ ସେ ପ୍ରଥମ ଇନିଂସରେ କରନ ଲାଲ୍‌ଙ୍କୁ ଏବଂ ଦ୍ୱିତୀୟ ଇନିଂସରେ କରନ୍‌ଙ୍କ ସମେତ ମନୋଜ ତିଓ୍ବାରୀଙ୍କ ପ୍ରାଇଜ୍‌ ଉଇକେଟ ହାସଲ କରିଥିଲେ। ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂରୁ ଖେଳ ଜୀବନ ଆରମ୍ଭ କରିଥିବା ବସନ୍ତ କ୍ୟାରିୟରରେ ୨୩ଥର ୫ ଉଇକେଟ ଏବଂ ମ୍ୟାଚରେ ୩ ଥର ୧୦ ଉଇକେଟ ସଫଳତା ପାଇଛନ୍ତି। ଦୁଲିପ ଟ୍ରଫି ବିଜେତା ପୂର୍ବାଞ୍ଚଳ ଦଳର ସଦସ୍ୟ ରହିବା ଏବଂ ଭାରତ ‘ଏ’ ଦଳରେ ସାମିଲ ହୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଖେଳିବା ତାଙ୍କ କ୍ୟାରିୟରର ଆଉ ଏକ ଏକ ମାଇଲଖୁଣ୍ଟ।

ସଂକ୍ଷେପରେ..

ନାମ: ବସନ୍ତ ମହାନ୍ତି
ଜନ୍ମ: ୧୯୮୬ ନଭେମ୍ବର ୨୪
ମା’: ମିନତି ମହାନ୍ତି,
ବାପା: ଚିନ୍ତାମଣି ମହାନ୍ତି
ପ୍ଲେଇଂ ଷ୍ଟାଇଲ: ଡାହାଣହାତୀ ମିଡିୟମ ପେସର, ଡାହାଣହାତୀ ବ୍ୟାଟର
ପ୍ରଥମ ଶ୍ରେଣୀ କ୍ରିକେଟ
ପଦାର୍ପଣ ମ୍ୟାଚ: ବନାମ ବେଙ୍ଗଲ, ସିଲିଗୁଡ଼ି, ଡିସେମ୍ବର ୯ରୁ ୧୧, ୨୦୦୭
ଶେଷ ମ୍ୟାଚ: ବନାମ ବେଙ୍ଗଲ, ଇଡେନ ଗାର୍ଡେନ୍ସ, ଜାନୁୟାରୀ ୨୪ରୁ ୨୭, ୨୦୨୩
ଲିଷ୍ଟ ‘ଏ’
ପଦାର୍ପଣ ମ୍ୟାଚ: ବନାମ ବେଙ୍ଗଲ, ଇଡେନ ଗାର୍ଡେନ୍ସ, ଫେବୃୟାରୀ ୨୦, ୨୦୧୨
ଶେଷ ମ୍ୟାଚ: ବନାମ ରେଲଓ୍ବେ, ଦିଲ୍ଲୀ, ମାର୍ଚ୍ଚ ୪, ୨୦୧୭
ଟି୨୦
ପଦାର୍ପଣ ମ୍ୟାଚ: ବନାମ ତ୍ରିପୁରା, ଅଗରତାଲା, ମାର୍ଚ୍ଚ ୧୩, ୨୦୧୭
ଶେଷ ମ୍ୟାଚ: ବନାମ ଆସାମ, ଇଡେନ ଗାର୍ଡେନ୍ସ, ଫେବୃୟାରୀ ୫, ୨୦୧୭

-ପ୍ରସ୍ତୁତି: ତପନ ସ୍ବାଇଁ

Share