ଭୁବନେଶ୍ୱର, ୮ା୧୧(ସରୋଜ ଜେନା): ଏଏଫ୍ସି କପ୍ ଫୁଟବଲ୍ରେ ମଜିୟା ଏସ୍ଆରସି ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି ଓଡ଼ିଶା ଏଫସି (ଓଏଫ୍ସି)। ପ୍ରଥମାର୍ଦ୍ଧରେ ୦-୨ରେ ପଛୁଆ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ଦେବା ସହ ଚତୁର୍ଥ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା। ଏହା ସହିତ ଦଳ ୪ ମ୍ୟାଚ୍ରୁ ୨ ବିଜୟ ସହ ଗ୍ରୁପ୍ ଡି’ର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ମଙ୍ଗଳବାର ମଲଡିଭ୍ସ ନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଘରୋଇ ଦର୍ଶକଙ୍କ ସମର୍ଥନରେ ମଜିୟା ଆଟାକିଂ ଫୁଟବଲ ଖେଳିଥିଲା। ମ୍ୟାଚ୍ର ଦ୍ୱିତୀୟ ମିନିଟରେ ନାଇଜ ହସନ ଦଳ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ। ୨୬ ତମ ମିନିଟରେ ଡିଫେଣ୍ଡର ମୋର୍ଟାଡା ଫଲଙ୍କ ଫାଉଲ୍ କାରଣରୁ ମଜିୟାକୁ ପେନାଲ୍ଟି କିକ୍ ମିଳିଥିଲା। ଭୋଜିସ୍ଲାଭା ବାଲାବାନୋଭିକ୍ ଏହାକୁ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ୩୮ ତମ ମିନିଟରେ ମୋର୍ଟାଡା ଫଲ୍ଙ୍କ ହେଡର ପୋଷ୍ଟ ନିକଟ ଦେଇ ଯାଇଥିଲା। ପ୍ରଥମ ହାଫ୍ରେ ଓଏଫ୍ସି ୦-୨ରେ ପଛୁଆ ରହିଥିବା ବେଳେ ଦ୍ୱିତୀୟ ହାଫ୍ରେ ଏହା ଜବରଦସ୍ତ କାଉଣ୍ଟର ଆଟାକ୍ କରିଥିଲା। ୬୫ ତମ ମିନିଟରେ ଦଳକୁ ପ୍ରଥମ ସଫଳତା ମିଳିଥିଲା। ଅହମଦ ଜାହୋହଙ୍କ ଏକ କର୍ନର କିକ୍କୁ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ ଫଲ୍। ଏହାର ୭ ମିନିଟ ମଧ୍ୟରେ ଓଏଫ୍ସି ପକ୍ଷରୁ ଡିଏଗୋ ମରିସିଓ ଏକ ଗୋଲ ସ୍କୋର କରିବା ସହ ମ୍ୟାଚ୍ ୨-୨ ସ୍ଥିତିକୁ ଆସିଥିଲା। ଫ୍ରି କିକ୍ରୁ ଜାହୋହଙ୍କ ପାସ୍କୁ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ ମରିସିଓ। ତେବେ ୮୫ ତମ ମିନିଟରେ ରୟ କ୍ରିଷ୍ଣା ନିର୍ଣ୍ଣାୟକ ଗୋଲ ଦେଇଥିଲେ। ଏହି ଗୋଲ୍ ବଳରେ ଚତୁର୍ଥ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ରେକର୍ଡ କରିଥିଲା ଓଏଫ୍ସି।