ମହାରାଷ୍ଟ୍ରରେ ବଢି ଚାଲିଛି କରୋନା ସଂକ୍ରମଣ: ବିଦର୍ଭରେ ଫେବୃୟାରୀରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ

ମୁମ୍ବାଇ,୧ ।୩: ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିଛିଦିନ ତଳେ ସାରା ଦେଶରେ ସଂକ୍ରମଣ ସଂଖ୍ୟା କମ୍ ହୋଇଥିବା ବେଳେ ହଠାତ୍ ଏହା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପୂର୍ବଭଳି ଏଥର ମଧ୍ୟ ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ତେବେ ଗତ ୩ ମାସ ମଧ୍ୟରେ ଏହି ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଛି । ଏହାକୁ ଦେଖି ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷପ ବି ନିଆଗଲାଣି । କେଉଁଠି ଲକ୍‌ଡାଉନ ଘୋଷଣା କରାଗଲାଣି ତ ପୁଣି କେଉଁଠି ସ୍କୁଲ କଲେଜ ଆଦିକୁ ବନ୍ଦ କରି ଦିଆଯାଇଛି । ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡିଛି କି ମହାରାଷ୍ଟ୍ରର ବିଦର୍ଭରେ କେବଳ ଫେବୃୟାରୀରେ ୪୬ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ନଭେମ୍ବରରେ ଏଠାରେ ୨୮,୦୭୪ ଥିବା ବେଳେ ଡିସେମ୍ବରରେ ୨୫,୧୭୭ ଓ ଜାନୁୟାରୀରେ ୨୧,୦୬୫ ଥିଲା । କିନ୍ତୁ ଫେବୃୟାରୀରେ ଏହା ସବୁ ରେକର୍ଡ ଭାଙ୍ଗି ଦେଇଛି ବୋଲି କୁହାଯାଉଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚିନ୍ତାରେ ଥିବା ବେଳେ କାଳେ ନୂଆ ଭାରିଏଣ୍ଟ ଯୋଗୁ ଏମିତି ବୃଦ୍ଧି ଘଟୁଛି ବୋଲି ଚିନ୍ତା କରାଯାଉଛି ।

Share