ପାଟନା,୧୬।୯: ଚୋରି, ପକେଟ ମାର ଭଳି ଘଟଣା ରେଳ ଷ୍ଟେଶନରେ ଘଟିବା ଏକ ସାଧାରଣ ଘଟଣା। ଅନେକ ସମୟରେ ଚୋରମାନେ ଚୋରି କରି ଟ୍ରେନର ଝରକା କିମ୍ବା କବାଟ ବାଟେ ଖସି ପଳାନ୍ତି। ଚଳନ୍ତା ଟ୍ରେନ ଯୋଗୁ ଯାତ୍ରୀମାନେ ଚୋରକୁ ଧରିବାରେ ଅସମର୍ଥ ଥାନ୍ତି। କିନ୍ତୁ ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଫୋନ ଚୋରି କରି ନେଉଯାଉଥିବା ଚୋରକୁ ଟ୍ରେନ୍ ଝରକା ବାଟେ ଧରିଦେଇଥିଲେ ଜଣେ ଯାତ୍ରୀ। ୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କ ଚୋରକୁ ସେମିତି ଓହଳି ଧରି ରଖିଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ବିହାରର ବେଗୁସରାଇରୁ ଆସିଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ସାମସ୍ତିପୁର-କାଟିହର ଯାତ୍ରୀବାହୀ ଟ୍ରେନ ସାହେବପୁର କମଲ-ଉମେଶନଗର ମଧ୍ୟରେ ଯାଉଥିଲା। ଏହି ସମୟରେ ଜଣେ ଯାତ୍ରୀ ଟ୍ରେନର ଝରକା ପାଖରେ ବସିଥିଲେ। ସେ ମୋବାଇଲରେ କଥା ହେଉଥିଲେ। ଟ୍ରେନ ଚାଲିବା ଆରମ୍ଭ କରିବା ମାତ୍ରେ ଚୋର ଯାତ୍ରୀଙ୍କ ଫୋନରେ ଛଡାଇ ନେଇଥିଲେ। ଯାତ୍ରୀ ସଙ୍ଗେ ସଙ୍ଗେ ଚୋରର ହାତ ଧରିନେବାରେ ସଫଳ ହୋଇଥିଲେ। ଏହା ପରେ ଚୋରଟି ସାହେବପୁର କମଲରୁ ଖାଗରିଆକୁ ପର୍ଯ୍ୟନ୍ତ ଟ୍ରେନ ବାହାରେ ଝୁଲି ରହିଥିଲେ। ଚୋର ଦୁଇ ହାତର ସାହାଯ୍ୟରେ ୧୫ କିଲୋମିଟର ପର୍ଯ୍ୟନ୍ତ ସେମିତି ଝୁଲୁଥିଲେ। ଯାତ୍ରୀମାନେ ତାଙ୍କୁ ଦଣ୍ଡ ଦେବା ପାଇଁ ଏହା କରିଥିଲେ। ଭିଡିଓରେ ଚୋର ଜଣକ ତାଙ୍କ ହାତ ଛାଡିବାକୁ ନିବେଦନ କରୁଥିବା ନଜର ଆସିଛନ୍ତି। ପରେ ତାଙ୍କୁ ଜିଆରପିକୁ ହସ୍ତାନ୍ତର କରାଯାଇଥିଲା। ମୋବାଇଲ ଚୋର ଜଣଙ୍କ ହେଉଛନ୍ତି ସାହେବପୁର କମଲ ପୋଲିସ ଷ୍ଟେଶନ ଅଞ୍ଚଳର ପଙ୍କଜ କୁମାର।