Categories: ଫୁରସତ

ଜଙ୍ଗଲରେ ନିଆଁ ଲଗାଇ ଯୁବତୀ କରୁଥିଲେ ଟିକ୍‌ଟକ୍‌, ଆଉ ତା’ ପରେ…

ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପଡ଼ିଛି। ଭାରତର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ତେବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ ଅବସ୍ଥା । ଏଭଳି ଗରମ ସମୟରେ ଯଦି କେହି ଜଙ୍ଗଲରେ ନିଆଁ ଲଗାନ୍ତି ତେବେ ଭାବିଲେ ଅବସ୍ଥା କ’ଣ ହେବ। ଏକ ଭିଡିଓ ଶୁଟିଂ କରିବା ପାଇଁ ପାକିସ୍ତାନୀ ଟିକ୍‌ଟକର ହୁମାୟିରା ଅସଗର ପ୍ରବଳ ଉତ୍ତାପରେ ଜଙ୍ଗଲରେ ନିଆଁ ଲଗାଇ ଦେଇଛନ୍ତି। ବର୍ତ୍ତମାନ ଲୋକମାନେ ତାଙ୍କୁ ପ୍ରଶଂସା କରିବା ପରିବର୍ତ୍ତେ ଟ୍ରୋଲ କରୁଛନ୍ତି।

ହୁମାୟିରାଙ୍କ ମିଲିୟନ ଫଲୋଅର୍ସ ରହିଛନ୍ତି। ଏତେ ଫଲୋଅର୍ସ ଥାଇ ମଧ୍ୟ ତାଙ୍କର ସତେ ଯେମିତି ଦୁନିଆ ସହ ସମ୍ପର୍କ ନାହିଁ। ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ଓ୍ବାର୍ମିଂ ପ୍ରତି ତାଙ୍କର ଧ୍ୟାନ ହିଁ ନାହିଁ।

ଏହି ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହେଉଛି। କିଛି ସେକେଣ୍ଡର ଭିଡିଓରେ ହୁମାୟିରାଙ୍କ ପଛରେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ସେ ଏକ ସିଲ୍‌ଭର ରଙ୍ଗର ଗାଉନ ପିନ୍ଧିଛନ୍ତି ଏବଂ ବ୍ୟାକ୍‌ଗ୍ରାଉଣ୍ଡରେ ‘ପସୁରୀ’ ଗୀତର ଲିରିକ୍ସ ବାଜୁଛି। ଭିଡିଓ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ମୁଁ ଯେଉଁଠାରେ ଅଛି, ସେଠାରେ ନିଆଁ ଲାଗିଛି।

ହୁମାୟିରାଙ୍କ ଉପରେ ପ୍ରତିବନ୍ଧକ ଦାବି କରିଛନ୍ତି ୟୁଜର। ଏହି ଭିଡିଓ ବର୍ତ୍ତମାନ ଟୁଇଟରରେ ବି ଭାଇରାଲ ହେବାରେ ଲାଗିଲାଣି। ଯାହା ଡିସ୍‌କଭର ପାକିସ୍ତାନ ଦ୍ୱାରା ଶେୟାର କରାଯାଇଛି। ୧୫ ସେକେଣ୍ଡର ଭିଡିଓ ଯୋଗୁ ପାକିସ୍ତାନ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି ସରକାରଙ୍କୁ ନିବେଦନ କରାଯାଇଛି। ଏକ ଛୋଟ ଭିଡିଓ ପାଇଁ ସେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ। ଟୁଇଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ବ୍ରାଣ୍ଡ ସହିତ ହୁମାୟିରାଙ୍କୁ ମଧ୍ୟ ଦଣ୍ଡ ଦିଆଯିବା ଆବଶ୍ୟକ। ଯାହାଦ୍ୱାରା ସେ ପ୍ରକୃତି ସହିତ ଖେଳିବା ବନ୍ଦ କରିବେ।

ଏହା ପୂର୍ବରୁ ଜଙ୍ଗଲରେ ନିଆଁ ଲଗାଇ ଭିଡିଓ କରିଥିବା ଜଣେ ପାକିସ୍ତାନ ୟ୍ୟୁଟୁବରଙ୍କୁ ଗିରଫ କରାଯାଇଛି। ଏବେ ୟୁମାୟିରାଙ୍କ ପାଳି ବୋଲି ୟୁଜରମାନେ କହିଛନ୍ତି।

Share