Categories: ଜାତୀୟ

୨,୫୦୦ କୋର୍ଟରେ ରହିବ ଭିଡିଓ କନ୍‌ଫରେନ୍ସ କ୍ୟାବିନ୍‌

ନୂଆଦିଲ୍ଲୀ, ୭।୧୨(ପି.ଟି.): ତଳ କୋର୍ଟଗୁଡ଼ିକରେ ଅନ୍‌ଲାଇନ ଶୁଣାଣି ସାମର୍ଥ୍ୟ ବଢ଼ାଇବା ଲାଗି ଦେଶର ୨,୫୦୬ କୋର୍ଟ କମ୍ପ୍ଲେକ୍ସରେ ଭିଡିଓ କନ୍‌ଫରେନ୍ସ କ୍ୟାବିନ୍‌ ପ୍ରତିଷ୍ଠା କରାଯିବ। ଏଥିପାଇଁ ପାଣ୍ଠି ବ୍ୟବସ୍ଥା କରାଯାଇଥିବା ଆଇନ ମନ୍ତ୍ରଣାଳୟ କହିଛି। ସେପ୍ଟେମ୍ବରରେ ୫.୨୧ କୋଟି ଟଙ୍କା ଦିଆଯାଇଥିବାବେଳେ ଅକ୍ଟୋବରରେ ହାର୍ଡଓ୍ବେର, କେବଲ୍‌, ମନିଟର ଆଦି ଅତିରିକ୍ତ ଭିଡିଓ କନ୍‌ଫରେନ୍ସ ଉପକରଣ କ୍ରୟ ଲାଗି ଆଉ ୨୮.୮୮୬ କୋଟି ଟଙ୍କା ଦିଆଯାଇଛି। ସୁପ୍ରିମକୋର୍ଟର ଇ-କମିଟି ଏବଂ ଆଇନ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ଏହି ଅର୍ଥ ପ୍ରଦାନ କରିଛନ୍ତି।
ଭାରତରେ ୩,୨୮୮ କୋର୍ଟ କମ୍ପ୍ଲେକ୍ସ ମଧ୍ୟରୁ ୨,୫୦୬ଟିରେ ଭିଡିଓ କନ୍‌ଫରେନ୍ସ କ୍ୟାବିନ ପ୍ରତିଷ୍ଠା ହେବାକୁ ଯାଉଛି। ଅଧିକ ସଂଖ୍ୟାରେ କୋର୍ଟ ପ୍ରକୋଷ୍ଠ ଥିବା ବୃହତ୍‌ କମ୍ପ୍ଲେକ୍ସଗୁଡ଼ିକରେ ଏକାଧିକ କ୍ୟାବିନ ପ୍ରତିଷ୍ଠା କରାଯିବ। କରୋନା ଯୋଗୁ ଅନ୍‌ଲାଇନରେ ଶୁଣାଣି ହେଉଛି। ଆଗକୁ ଏହା ଜାରି ରହିବ। ଏଥିପାଇଁ ସରକାର ୯ କୋଟି ବ୍ୟୟରେ ୧,୫୦୦ ଅତିରିକ୍ତ ଭିଡିଓ କନ୍‌ଫରେନ୍ସ ଲାଇସେନ୍ସ ସଂଗ୍ରହ କରିଛନ୍ତି। ହାଇକୋର୍ଟ ଏବଂ ଜିଲା କୋର୍ଟଗୁଡ଼ିକୁ ଏହା ଯୋଗାଇଦିଆଯିବ। ଲକ୍‌ଡାଉନ ପରଠୁ ଅକ୍ଟୋବର ୨୮ ମଧ୍ୟରେ ବିଭିନ୍ନ ହାଇକୋର୍ଟ ଓ ଜିଲା କୋର୍ଟରେ ୪୯.୬୭ ଲକ୍ଷରୁ ଅଧିକ ମାମଲା ଭର୍ଚୁଆଲି ଶୁଣାଣି ହୋଇଛି।

Share