Categories: ଜାତୀୟ

କଲେଜରେ ପଶିଲା ବାଘ

ନୂଆଦିଲ୍ଲୀ,୨।୧୨: ଉତ୍ତରପ୍ରଦେଶର ଏକ କଲେଜରେ ଛାତ୍ରୀଛାତ୍ରଙ୍କ କ୍ଲାସରୁମ୍‌କୁ ପଶି ଆସିଥିଲା ଏକ ଚିତାବାଘ। ଜଣେ ଛାତ୍ରଙ୍କୁ ଆକ୍ରମଣ କରିବା ପରେ ବାଘକୁ ଏକ କ୍ଲାସ ରୁମ୍‌ରେ ବନ୍ଦ କରି ଦିଆଯାଇଛି। ଏଭଳି ଘଟଣା ଘଟିଛି ଅଲିଗଡ଼ ସ୍ଥିତ ଚୌଧୁରୀ ନିହାଲ ସିଂ ଇଣ୍ଟର କଲେଜରେ।

ବୁଧବାର ସକାଳେ କଲେଜ ପରିସରକୁ ବାଘ ପଶି ଆସିଥିଲା। ବାଘ ଆକ୍ରମଣରେ ଜଣେ ଛାତ୍ର ଆହତ ହୋଇଛନ୍ତି। ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ବାଘକୁ ୧୦ ନମ୍ବର ରୁମ୍‌ରେ ବନ୍ଦ କରିବା ପରେ ଜଙ୍ଗଲ ଅଧିକାରୀ ଓ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲୁ। ବାଘକୁ ଆମେ ସିସିଟିଭି ଜରିଆରେ ମନିଟର କରୁଛୁ ବୋଲି କଲେଜ ପ୍ରିନ୍ସିପାଲ ଯୋଗେଶ ଯାଦବ କହିଛନ୍ତି।

ମୁଁ କ୍ଲାସରୁମ୍‌ରେ ପଶିବା ପରେ ସେଠାରେ ଚିତା ବାଘ ଥିବା ଦେଖିଥିଲି। ପଛକୁ ଫେରିବା ବେଳେ ବାଘ ମୋ ଉପରକୁ ଡିଆଁ ମାରିଥିଲା। ମୋ ହାତ ଓ ବେକକୁ କାମୁଡ଼ି ଦେଇଥିଲା ବୋଲି ବାଘ ଆକ୍ରମଣରୁ ଭାଗ୍ୟବଶତଃ ବଞ୍ଚି ଯାଇଥିବା ଛାତ୍ର ରାଜ ସିଂ କହିଛନ୍ତି।

Share