Categories: ଫୁରସତ

ଗାଡ଼ି ଭିତରେ ନୁହେଁ, ବରଂ ଏସ୍‌ୟୁଭିର ବୋନେଟ୍‌ରେ ବସି ବିବାହସ୍ଥଳରେ ପହଞ୍ଚିଲେ କନ୍ୟା: ଭିଡିଓ ଭାଇରାଲ ପରେ…

ପୁଣେ: ଆଧୁନିକତାର ଏହି ଯୁଗରେ ମଣିଷ ନିଜ ଜୀବନର ସମସ୍ତ ଗୁରୁତ୍ୱପୁର୍ଣ୍ଣ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଟେକ୍ନୋଲୋଜିର ସାହାଯ୍ୟ ନେଉଛି। ହେଲେ କିଛି ଲୋକ ନିଜର ସୁଖ ପାଇଁ ବେଳେବେଳେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଦ୍ୱିଧା କରନ୍ତି ନାହିଁ। ପୁଣେରୁ ଏକ ସେଭଳି ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଜଣେ କନ୍ୟା ଏସ୍‌ୟୁଭିର ବୋନେଟ୍‌ରେ ବସି ତାଙ୍କ ବିବାହସ୍ଥଳରେ ପହଞ୍ଚିଥିଲେ। ବାଟରେ ଯିବା ବେଳେ ସେ ନିଜର ଏକ ଭିଡିଓ କରିଥିଲେ। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଥିଲା। ଏହାପରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ଏବଂ କୋଭିଡ ସୁରକ୍ଷା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କନ୍ୟା ଓ ତାଙ୍କ ସମ୍ପର୍କୀୟ ବିରୋଧରେ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ସକାଳର ଏହି ଘଟଣା। ଏସ୍‌ୟୁଭିର ବୋନେଟ୍‌ରେ ବସି ୨୩ ବର୍ଷର ଯୁବତୀ ତାଙ୍କର ଭିଡିଓଶୁଟ୍‌ କରିଥିଲେ। ପରେ ସେହି ନିଜର ଅନ୍ୟ ସମ୍ପର୍କୀୟଙ୍କ ସହ ବିବାହସ୍ଥଳରେ ପହଞ୍ଚିଥିଲେ। ଏଥିନେଇ ଯୁବତୀ, ଡ୍ରାଇଭର, ଭିଡିଓ ପ୍ରସ୍ତୁତ କରିଥିବା ଯୁବକ ଏବଂ ଗାଡ଼ିରେ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ଘଟଣାରେ ଯେଉଁ ମାମଲା ରୁଜୁ ହୋଇଛି ତାହା ଜାମିନଯୋଗ୍ୟ। ଏଣୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନ ଥିବା ପୋଲିସ କହିଛି।

Share