ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଗଙ୍ଗା ନଦୀରୁ ଭାସୁଥିବା ଅବସ୍ଥାରେ ବହୁ ମୃତଦେହ ଉଦ୍ଧାର କରାଯାଇଛି। ଉତ୍ତରପ୍ରଦେଶର ବଳରାମପୁର ଜିଲାରେ ନଦୀରେ ମୃତଦେହ ଫିଙ୍ଗୁଥିବାର ଏଭଳି ଏକ ଭିଡ଼ିଓ ଏବେ ସୋସିିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପିପିଇ କିଟ୍‌ ପିନ୍ଧିଥିବା ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହାୟତାରେ ବ୍ରିଜ୍‌ ଉପରୁ ରାପ୍ତି ନଦୀର ସିସଇ ଘାଟଠାରେ ଥିବା ବ୍ରିଜ୍‌ ଉପରୁ ମୃତଦେହ ପିଙ୍ଗୁଥିବାରୁ ୪୫ ସେକେଣ୍ଡର ଏକ ଭିଡ଼ିଓ ଯୋଗୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉପରେ ପୁଣି ଅଙ୍ଗୁଳି ଉଠିଛି। ପ୍ରଶାସନର ଅବହେଳା ଯୋଗୁ ଏଭଳି ହେଉଥିବା ଅଭିଯୋଗ ହେଉଛି। ବ୍ରିଜ୍‌ରେ ଯାନବାହନ ଯିବା ଆସିବା କରୁଥିଲେ ମଧ୍ୟ ଏହାକୁ ଖାତିର ନ କରି ମୃତଦେହକୁ ନଦୀକୁ ଫିଙ୍ଗା ଯାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ମୃତଦେହ ବଳରାମପୁର ଜିଲାର ସିଦ୍ଧାର୍ଥନଗର ଅନ୍ତର୍ଗତ ଶୋହରାଟଗଡ଼ ଅଞ୍ଚଳର ବାସିନ୍ଦା ପ୍ରେମନାଥ ମିଶ୍ରଙ୍କର ବୋଲି ଚିହ୍ନଟ କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ମେ ୨୫ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମେ ୨୮ରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରେମନାଥଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ପ୍ରଦାନ କରାଯାଇଥିବା ବଳରାମପୁର ସିଏମ୍‌ଓ ଡ. ବିଜୟ ବାହାଦୂର ସିଂ ଟୁଇଟରରେ ମେସେଜ୍‌ ଦେଇଛନ୍ତି। ତେବେ ପରିବାର ସଦସ୍ୟ ପ୍ରେମନାଥଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥି ସେ କହିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସହିତ ଏକ ମାମଲାର ଦାଏର କରାଯାଇଛି। ପିପିଇ କିଟ୍‌ ପିନ୍ଧିଥିବା ବ୍ୟକ୍ତିଙ୍କ ନିକଟରେ ଶ୍ମଶାନରେ କାମ କରୁଥିବା ଚନ୍ଦ୍ର ପ୍ରକାଶ ଠିଆ ହୋଇଥିବା ପୋଲିସ ଚିହ୍ନଟ କରିଛି। ତାଙ୍କୁ ପଚରା ଉଚରା କରିବାରୁ ସେ କହିଛନ୍ତି ଯେ, କିଛି ଲୋକ ବର୍ଷା ହେଉଥିବା ସମୟରେ ଶ୍ମଶାନକୁ ଆସିଥିଲେ। ତାଙ୍କୁ ବ୍ରିଜ୍‌ ଉପରକୁ ନେଇଥିଲେ। ସେଠାରେ ମୃତଦେହକୁ ରଖାଯାଇଥିଲା। ମୃତଦେହକୁ ବ୍ରିଜ୍‌ରୁ ତଳକୁ ଆଣି କାଠରେ ଅନ୍ତିମ ସଂସ୍କାର କରିବା ଲାଗି ଚନ୍ଦ୍ର ପ୍ରକାଶ କହିଥିଲେ। ତେବେ ଉପସ୍ଥିତ କିଛି ଲୋକେ ତାଙ୍କ କଥା ନ ଶୁଣି ନଦୀରେ ମୃତଦେହ ଫିଙ୍ଗି ଚାଲିଯାଇଥିବା ଚନ୍ଦ୍ର ପ୍ରକାଶ ପୋଲିସକୁ କହିଛନ୍ତି।

Share