Categories: ଜାତୀୟ

ସୁଡ଼ଙ୍ଗରୁ ଆସିଲା ଶ୍ରମିକଙ୍କ ଭିଡିଓ

ଉତ୍ତରକାଶୀ,୨୨ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ମଙ୍ଗଳବାର ଦଶମ ଦିନରେ ପହଞ୍ଚିଛି। ଶ୍ରମିକଙ୍କ ଉଦ୍ଧାର ଲାଗି ବାର୍‌କୋଟ୍‌ ଶେଷ ଭାଗରୁ ଏକ ବିକଳ୍ପ ସୁଡ଼ଙ୍ଗ ନିର୍ମାଣ ଆରମ୍ଭ ହୋଇଛି। ଉକ୍ତ ବ୍ୟାକ୍‌ଅପ୍‌ ଟନେଲର ବ୍ୟାସ ପାଖାପାଖି ୩ ମିଟର ରହିବ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ପାଇଁ ୮ ମିଟର ଟନେଲ ନିର୍ମାଣ ହୋଇଛି। ଟନେଲ ଅଞ୍ଚଳରେ ଡ୍ରୋନ୍‌ ସର୍ଭେ ଉଦ୍ୟମ ବିଫଳ ହୋଇଥିବାବେଳେ ଭଗ୍ନାବଶେଷ ଯୋଗୁ ଡିଆର୍‌ଡିଓ ନିୟୋଜିତ କରିଥିବା ରୋବୋ ସୁଡ଼ଙ୍ଗର ଗଡ଼ାଣି ସ୍ଥାନ ଚଢ଼ିପାରି ନ ଥିଲା। ଇତିମଧ୍ୟରେ ଭୂଲମ୍ବ ଦିଗରେ ଖନନ ପାଇଁ ଏକ ରାସ୍ତା ନିର୍ମାଣ ପ୍ରାୟତଃ ଶେଷ ହୋଇଛି।
ସୁଡ଼ଙ୍ଗରେ ଫସିଥିବା ଶ୍ରମିକମାନଙ୍କ ପ୍ରଥମ ଭିଡିଓ ମଙ୍ଗଳବାର ସକାଳେ ସାମନାକୁ ଆସିଛି। ଭଗ୍ନାବଶେଷ ଦେଇ ସୁଡ଼ଙ୍ଗ ଭିତରକୁ ଯାଇଥିବା ୬ ଇଞ୍ଚ ଓସାରର ପାଇପ୍‌ ଯୋଗେ ଅଧିକ ପରିମାଣର ରନ୍ଧା ଖାଦ୍ୟ ଶ୍ରମିକମାନଙ୍କ ପାଖକୁ ପଠାଯିବା ସହ ଏଣ୍ଡୋସ୍କୋପିକ୍‌ କ୍ୟାମେରା ସହାୟତାରେ ସେମାନଙ୍କ ଭିଡିଓ ଉତ୍ତୋଳନ କରାଯାଇଛି। ଉକ୍ତ କ୍ୟାମେରା ଦ୍ୱାରା ଫସିଥିବା ଶ୍ରମିକଙ୍କୁ ଗଣାଯିବା ସହ ଟନେଲର ଆଭ୍ୟନ୍ତରୀଣ ସ୍ଥିତି ସମ୍ପର୍କରେ ଜଣାପଡ଼ିବ। ଭିଡିଓରେ ହଳଦିଆ ଓ ଧଳା ହେଲମେଟଡ଼ ପିନ୍ଧିଥିବା ଶ୍ରମିକମାନେ ପାଇପ୍‌ଲାଇନ ଜରିଆରେ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବା ସହ ପରସ୍ପର ମଧ୍ୟରେ କଥା ହେଉଥିବା ଦେଖାଯାଇଥିଲା। ସେମାନେ କ୍ୟାମେରା ଆଗରେ ଲାଇନରେ ଛିଡ଼ାହୋଇ ଭଲ ଥିବା ହାତ ଟେକି ଜଣାଇଥିଲେ। ଓ୍ବାକି-ଟକିରେ ସେମାନେ ଉଦ୍ଧାରକାରୀ ଟିମ୍‌ ସହ କଥା ହୋଇଥିଲେ।

Share