Categories: ଜାତୀୟ

ମାସ୍କ ପିନ୍ଧି ନ ଥିବାରୁ ଝିଅ ଆଗରେ ମା’ ଉପରେ ଅକଥନିୟ ନିର୍ଯାତନା

ଭୋପାଳ,୧୯।୫: ଝିଅ ଆଗରେ ଜଣେ ମହିଳାଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି କିଛି ପୋଲିସ କର୍ମୀ ଗୋଇଠା, ବିଧା ମାରିଥିଲେ। କାରଣ ମହିଳା ଜଣଙ୍କ ପିନ୍ଧି ନ ଥିଲେ ମାସ୍କ। ମଧ୍ୟପ୍ରଦେଶର ସାଗର ଜିଲାରୁ ସାମ୍ନାକୁ ଆସିଛି ଏହି ଘଟଣା।

କୋଭିଡ୍‌ କଟକଣା ମଧ୍ୟରେ ମା’ ଝିଅ ଗ୍ରୋସରି କିଣିବାକୁ ଯାଉଥିବାବେଳେ ପଡ଼ି ଯାଇଥିଲେ ପୋଲିସ ହାବୁଡ଼ରେ। ମହିଳାଙ୍କୁ ପୋଲିସ ଗାଡ଼ିରେ ବସିବାକୁ କହିଥିଲେ। ହେଲେ ସେ ମନା କରି ଦେବାରୁ ମହିଳାଙ୍କ ଚୁଟି ଧରି ଘୋଷାଡ଼ି ଆଣିଥିଲେ ଦୁଇ ଜଣ ପୋଲିସ କର୍ମୀ। ଏହାପରେ ଆରମ୍ଭ ହୋଇଥିଲା ନିର୍ଯାତନା। ନିଜକୁ ବଞ୍ଚାଇବାକୁ ଯାଇ ମହିଳା ବହୁ ବାର ତଳେ ପଡ଼ିଯାଇଥିଲେ। ତଥାପି ଛାଡ଼ି ନ ଥିଲେ ପୋଲିସ କର୍ମୀ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ତେବେ ମଧ୍ୟପ୍ରଦେଶରେ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ପୋଲିସ କର୍ମୀ।

Share