Categories: ଜାତୀୟ

ଫୋନରୁ ମିଳିଲା ଜାକିର ନାଇକଙ୍କ ଭିଡିଓ

ଗୋରଖପୁର,୫।୪: ଗୋରଖନାଥ ମନ୍ଦିରରେ ଦୁଇ କନଷ୍ଟେବଳଙ୍କୁ ଆକ୍ରମଣ କରିବା ପାଇଁ ଆଇଆଇଟି ଗ୍ରାଜୁଏଟ୍‌ ଅହମ୍ମଦ ଆବାସିଙ୍କୁ ଗିରଫ କରାଯିବା ପରେ କୋର୍ଟ ପୋଲିସକୁ ତାଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛି।

ତେବେ ରାଜ୍ୟ ଗୃହ ବିଭାଗ ପକ୍ଷରୁ କୁହାଯାଇଛି, ଉପଲବ୍ଧ ଥିବା ପ୍ରମାଣ ଆଧାରରେ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କୁହାଯାଇପାରେ। ଅଭିଯୁକ୍ତଙ୍କ ମୋବାଇଲ ଏବଂ ଲାପଟପ୍‌ର ଯାଞ୍ଚ ଚାଲିଛି। ମିଳିଥିବା ସୂଚନା ମୁତାବକ, ତାଙ୍କ ଫୋନରୁ ବିବାଦୀୟ ଇସ୍ଲାମିକ୍‌ ପ୍ରଚାରକ ଜାକିର ନାଇକଙ୍କ ଭିଡିଓ ମିଳିଛି। ଆତଙ୍କବାଦୀ କାର୍ଯ୍ୟରେ ଅର୍ଥ ଯୋଗାଣ, ଘୃଣା ମନ୍ତବ୍ୟ, ଦୁଇ ସମ୍ପ୍ରାଦୟର ମଧ୍ୟରେ ଘୃଣା ସୃଷ୍ଟି କରିବା ଭଳି ସଂଗିନ ଅପରାଧରେ ନାଇକଙ୍କୁ ଭାରତୀୟ ଅଧିକାରୀ ଓ୍ବାଣ୍ଟେଡ୍‌ ଘୋଷଣା କରିଛନ୍ତି।

ଗୋରଖନାଥ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଥିବା ନେଇ ଉତ୍ତରପ୍ରଦେଶ ପୋଲିସକୁ ସୂଚନା ଦେଇଥିଲା ଗୁଇନ୍ଦା ଏଜେନ୍ସି। ଏଥିସହିତ ଏହି ଆକ୍ରମଣରେ ସମୃକ୍ତ ଥିବା ୧୬ ଜଣଙ୍କ ପ୍ରୋଫାଇଲ ଗୁଇନ୍ଦା ଏଜେନ୍ସି ଶେୟାର କରିଥିଲେ। ସେଥି ମଧ୍ୟରେ ଆଇଆଇଟି ଗ୍ରାଜୁଏଟ୍‌ ଆବାସିଙ୍କ ପ୍ରୋଫାଇଲ ମଧ୍ୟ ରହିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share