Advertisement
Categories: ଜାତୀୟ

ଭାଜପା ଯୁବ ମୋର୍ଚ୍ଚାର ମଙ୍ଗ ଧରିଲେ ବିରାପ୍ପାନଙ୍କ ଝିଅ

ଚେନ୍ନାଇ,୧୯।୭: ଅତୀତରେ ଦୁଇ ଦୁଇଟି ରାଜ୍ୟ ସରକାରଙ୍କ ନିଦ ହଜାଇ ଆତଙ୍କ ସୃଷ୍ଟି କରିଥିଲେ ବିରାପ୍ପାନ। ଏବେ କିନ୍ତୁ ତାଙ୍କ ଝିଅ ବିଦ୍ୟା ବିରାପ୍ପାନ ଦେଶସେବା କରିବାକୁ ଆଗେଇ ଆସିଛନ୍ତି। ବିଦ୍ୟାଙ୍କୁ ତାମିଲନାଡୁ ଭାରତୀୟ ଜନତା ପାର୍ଟିି(ଭାଜପା) ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ପଦ ମିଳିଛି। ବିଦ୍ୟା କହିଛନ୍ତି ତାଙ୍କ ସରନେମ୍‌ ଏକ ନୂଆ ଭବିଷ୍ୟତର ସୂଚନା ଦେଉଛି। ୨୯ ବର୍ଷୀୟା ବିଦ୍ୟା ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ କୃଷ୍ଣାଗିରୀର ‘ସ୍କୁଲ ଫର କିଡ୍ସ’ର ଦାୟିତ୍ୱ ନେଇଛନ୍ତି। ଏବେ ସେ ସମାଜ ସେବା କରିବାକୁ ଆସିଥିବା କହିଛନ୍ତି। ସେ କୌଣସି ବିଶିଷ୍ଟ ସମ୍ପ୍ରଦାୟର ହୋଇ ନ ଥିବା ବେଳେ ମାନବିକତାରେ ସେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି। ତେଣୁ ଏବେ ସେ ଦେଶସେବା କରିବାକୁ ଆସିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ସେ ଭାଜପାରେ ଯୋଗ ଦେଇଥିଲେ। ଏକ ଫେସ୍‌ବୁକ ପୋଷ୍ଟ ଦ୍ୱାରା ବିଦ୍ୟାଙ୍କ ଉପାଧ୍ୟକ୍ଷ ପଦ ସମ୍ପର୍କରେ ସୂଚନା ମିଳିଛି। ଏହାପରେ ତାଙ୍କ ପିତା ବିରାପ୍ପାନଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଯାଇଛି। ବିଦ୍ୟା କୁହନ୍ତି ଜୀବନରେ ସେ ମାତ୍ର ଥରଟିଏ ତାଙ୍କୁ ପିତାଙ୍କୁ ଦେଖିଛନ୍ତି। ମାତ୍ର ୬-୭ ବର୍ଷ ବୟସରେ ସେ ଖେଳୁଥିବା ସମୟରେ ତାଙ୍କ ପିତା ଆସି ତାଙ୍କୁ ଭଲ ମଣିଷ ହେବା ସହ ପାଠପଢି ଡାକ୍ତର ହେବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବୀରାପ୍ପାନ ୧୫୦ ଲୋକଙ୍କୁ ହତ୍ୟା କରିବା ସହ ୧୦୦ରୁ ଊର୍ଦ୍ଧ୍ୱ ହାତୀଙ୍କୁ ବେଆଇନ ଭାବେ ମାରି ଦେଇଥିଲେ। ଏହାସହ ଚନ୍ଦନ କାଠ ଚୋରା ବ୍ୟବସାୟ ପାଇଁ ଖୁବ୍‌ ଚର୍ଚ୍ଚିତ ବୀରାପ୍ପାନଙ୍କୁ ୨୦୦୪ରେ ପୋଲିସ ଏନ୍‌କାଉଣ୍ଟର କରି ମାରି ଦେଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share