Categories: ଖେଳ

୩୯ ବର୍ଷର ରେକର୍ଡ ଭାଙ୍ଗିବାରେ ବଞ୍ଚିତ ହେଲେ ବିଦ୍ୟା ରାମରାଜ୍‌

ଚଣ୍ଡିଗଡ଼,୧୧ା୯: ୪୦୦ ମିଟର ହର୍ଡଲ୍ସରେ କିମ୍ବଦନ୍ତୀ ପି.ଟି ଉଷାଙ୍କ ୩୯ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଅଳ୍ପକେ ବଞ୍ଚିତ ହୋଇଛନ୍ତି ଏସିଆନ ଗେମ୍ସ ପାଇଁ ମନୋନୀତ ହୋଇଥିବା ତାମିଲନାଡୁର ଆର. ବିଦ୍ୟା ରାମରାଜ। ଚଳିତ ଇଣ୍ଡିଆନ ଗ୍ରାଁ ପ୍ରି-୫ରେ ବିଦ୍ୟା ୫୫.୪୩ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଛନ୍ତି।

ଉଷା ୧୯୮୪ ଲସ୍‌ଆଞ୍ଜେଲ୍ସ ଅଲିମ୍ପିକ୍ସରେ ୫୫.୪୨ ସେକେଣ୍ଡ ଟାଇମିଂରେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ବ୍ରୋଞ୍ଜ ଜିତିପାରି ନ ଥିଲେ। ଶିବନାଥ ସିଂଙ୍କ ୧୯୭୮ ମାରାଥନ ଜାତୀୟ ରେକର୍ଡ ପରେ ଆଥଲେଟିକ୍ସରେ ଉଷାଙ୍କର ଏହା ହେଉଛି ଦ୍ୱିତୀୟ ସର୍ବପୁରାତନ ରେକର୍ଡ।

ଉଷା ବର୍ତ୍ତମାନ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସଭାପତି ଅଛନ୍ତି। ବିଦ୍ୟା କହିଛନ୍ତି ମାଡାମ୍‌ ଉଷା ଏତେ ପ୍ରତିଭାଶାଳୀ ଥିଲେ ଯେ, ତାଙ୍କ ରେକର୍ଡକୁ ଏପର୍ଯ୍ୟନ୍ତ କେହି ଭାଙ୍ଗିପାରୁ ନାହାନ୍ତି। ସୋମବାର ତାଙ୍କ ରେକର୍ଡକୁ ଭାଙ୍ଗିବା ଲାଗି ସେ ରେସ୍‌ ପୂର୍ବରୁ ମନସ୍ଥ କରିଥିଲି। ପ୍ରଥମ ୨୦୦ମିଟର ସାମାନ୍ୟ ମନ୍ଥର ଥିଲା ଏବଂ ପରେ ସ୍ପିଡ୍‌ ବଢାଇଥିଲେ। ଯଦି ପ୍ରଥମ ୨୦୦ ମିଟର ସ୍ପିଡ୍‌ ଦୌଡ଼ି ଥାନ୍ତେ ହୁଏତ ସୋମବାର ସେ ଜାତୀୟ ରେକର୍ଡ ଭାଙ୍ଗି କରିପାରିଥାନ୍ତେ ବୋଲି କହିଛନ୍ତି।

Share