Categories: ଜାତୀୟ

ଭିଏଟ୍‌ଜେଟ୍‌ ବିମାନ ବିଳମ୍ବ: ମୁମ୍ବାଇ ଏୟାରପୋର୍ଟରେ ୩୦୦ ଯାତ୍ରୀ ୧୦ ଘଣ୍ଟା ଅଟକିଲେ

ମୁମ୍ବାଇ, ୨୬ା୫: ପରିଚାଳନାଗତ କାରଣରୁ ଭିଏଟ୍‌ଜେଟ୍‌ ବିମାନ ବିଳମ୍ବ ଯୋଗୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକି ରହିବାକୁ ପଡ଼ିଛି। ଭିଏଟ୍‌ନାମର ହୋ ଚି ମିନ୍‌ ସିଟି ଯିବାକୁ ଥିବା ଭିଏଟ୍‌ଜେଟ୍‌ ବିମାନର ପ୍ରସ୍ଥାନ ସମୟ ଗୁରୁବାର ରାତି ୧ଟାରେ ସ୍ଥିର ହୋଇଥିବାବେଳେ ଏହା ୧୦ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିଲା। ଏତେ ସମୟ ଯାତ୍ରୀମାନେ ଏୟାରପୋର୍ଟରେ ଅସ୍ତବ୍ୟସ୍ତ ହୋଇଥିଲେ। ଏୟାରଲାଇନ୍ସ କର୍ତ୍ତୃପକ୍ଷ ସେମାନଙ୍କ ରହଣି ପାଇଁ ହୋଟେଲ ବ୍ୟବସ୍ଥା କିମ୍ବା ଖାଦ୍ୟପଦାର୍ଥ ବ୍ୟବସ୍ଥା କରି ନ ଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। ଡିଜିସିଏ ନିୟମ ଅନୁଯାୟୀ ବିମାନ ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ଛାଡ଼ିବାକୁ ଥିଲେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥାଏ। ଅନ୍ୟପକ୍ଷରେ ଖାଦ୍ୟ, ପାନୀୟ ଓ ରହିବା ବ୍ୟବସ୍ଥା ଏୟାରଲାଇନ୍ସ ନୀତି ଅନୁଯାୟୀ କରାଯାଇଥିବା ଭିଏଟ୍‌ଜେଟ୍‌ ଏୟାର ପକ୍ଷରୁ କୁହାଯାଇଛି।

Share