ଭାରତରେ ରାତ୍ରି ବଜ୍ରପାତର ଦୃଶ୍ୟ

ଓ୍ବାଶିଂଟନ, ୧୮।୮: ଅନେକ ସମୟରେ ମହାକାଶଚାରୀମାନେ ମହାକାଶରୁ ପୃଥିବୀର ବିଭିନ୍ନ ଆଶ୍ଚର୍ଯ୍ୟଜନକ ଚମତ୍କାର ଦୃଶ୍ୟର ଚିତ୍ର ଉତ୍ତୋଳନକରି ସୋସିଆଲ ମିଡିଆରେ ଶେୟାର କରିଥାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ମହାକାଶରୁ ଏହିସବୁ ବିରଳ ଚିତ୍ରକୁ ଦେଖି ମନ ଆକର୍ଷିତ ହୋଇଥାଏ। ତେବେ ଆକାଶରେ ପ୍ରବଳ ମେଘ ଥିବାବେଳେ ରାତ୍ରି ବଜ୍ରପାତର ଏହିପରି ଏକ ଦୃଶ୍ୟକୁ ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ମାଥ୍ୟୁ ଡୋମିନିକ୍‌ ନିଜ କ୍ୟାମେରାରେ କଏଦ କରି ଶନିବାର ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରୁ ଏହି ବିରଳ ଓ ସୁନ୍ଦର ଦୃଶ୍ୟକୁ ଉଠାଇଛନ୍ତି। ଏହି ଫଟୋରେ ମହାକାଶରୁ ଭାରତର ରାତ୍ରି ବଜ୍ରପାତର ଦୃଶ୍ୟକୁ ଭଲ ଭାବେ ଦେଖିବାକୁ ମିଳିଛି। ଉକ୍ତ ଚିତ୍ର ଶେୟାର କରି ମାଥ୍ୟୁ ଲେଖିଛନ୍ତି, ରାତ୍ରି ସମୟରେ ଭାରତର ବିଜୁଳି ଓ ବଜ୍ରପାତର ଦୃଶ୍ୟ। ଏହି ଅବିଶ୍ୱସନୀୟ ଫଟୋରେ ଅନ୍ଧାର ରାତ୍ରିର ମଝି ଆକାଶରେ ଏକ ଉଜ୍ଜ୍ୱଳ ନୀଳ ଆଲୋକ ଦେଖାଯାଉଛି।
ଏହାର ଚାରିପାଖରେ ଧଳା ଏବଂ ହଳଦିଆ ରଙ୍ଗର ଆଲୋକ ମଧ୍ୟ ଦୃଶ୍ୟମାନ ହେଉଛି, ଯାହା ଭାରତର ବିଭିନ୍ନ ସହରର ହୋଇଥିବା ମାଥ୍ୟୁ କହିଛନ୍ତି। ସମଗ୍ର ଭାରତ ଉପରେ ଅନ୍ଧକାର ଥିବାବେଳେ ରଙ୍ଗିନ ବଜ୍ରପାତ ଆକାଶରୁ ଖସୁଥିବା ପରି ଏହି ଫଟୋରେ ଦେଖିବାକୁ ମିଳିଛି। ମାଥ୍ୟୁ ନିଜ ଏକ୍ସ’ ଆଇଡିରେ ଶେୟାର କରିବାର କିଛି ଘଣ୍ଟା ମଧ୍ୟରେ ଭାରତର ଏହି ରାତ୍ରି ବଜ୍ରପାତ ସମୟର ଦୃଶ୍ୟ ଭାଇରାଲ ହୋଇଛି। ଉକ୍ତ ଫଟୋକୁ ଅନେକ ସଂଖ୍ୟାରେ ଭାରତୀୟ ଏକ୍ସ’ ୟୁଜର୍ସ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଆଇଏସ୍‌ଏସ୍‌ରେ ଥିବା ଆମେରିକୀୟ ମହାକାଶଚାରୀ ମାଥ୍ୟୁ ପ୍ରତ୍ୟେକ ଦିନ ମହାକାଶରୁ କିଛି ନା କିଛି ଅବିଶ୍ୱସନୀୟ ଓ ଦୁର୍ଲଭ ଦୃଶ୍ୟ ପୋଷ୍ଟକରି ନିଜ ଫଲୋଅର୍ସମାନଙ୍କୁ ପ୍ରଭାବିତ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି।

Share