ଉଜୁଡ଼ିଯାଉଛି ମନ୍ମଦ ଉଦ୍ୟାନ: ବିପଦରେ ଭ୍ୟୁ ଟାୱାର

ପାରାଦୀପ,୫।୮(ଶରତ ରାଉତ): ମହାନଦୀରେ ଏବେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟା ଜଳ ପାରାଦୀପର ନେହେରୁ ବଙ୍ଗଳା ମନ୍ମଦ ଉଦ୍ୟାନଠାରେ ସମୁଦ୍ରରେ ମିଶୁଛି। ଯେଉଁ ସ୍ଥାନରେ ମହାନଦୀ ବନ୍ୟାଜଳ ସମୁଦ୍ରରେ ମିଶୁଛି ସେଠାରେ ଏବେ କୂଳ କ୍ଷୟ ହେବାରେ ଲାଗିଛି। ଏପରିକି ମନ୍ମଦ ଉଦ୍ୟାନଠାରୁ ମାଛଧରା ବନ୍ଦର ପର୍ଯ୍ୟନ୍ତ ମହାନଦୀର ପାରାଦୀପ ସୀମାର ଅନେକ ଜାଗା ନଦୀରେ ଲୀନ ହୋଇଗଲାଣି। ଚଳିତ ବନ୍ୟାରେ ପ୍ରାୟ ୨ ଏକର ଜାଗା ଖାଇଯାଇଛି। ଏହାଦ୍ୱାରା ମନ୍ମଦ ଉଦ୍ୟାନରେ ଥିବା ଅନେକ ଗଛ, ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ ପ୍ରକଳ୍ପ ପାଣିରେ ଲୀନ ହୋଇଯାଇଛି। ସବୁଠାରୁ ଉଦବେଗ ହେଉଛି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ମିତ ଭ୍ୟୁ ଟାୱାର ଭୁଶୁୁଡିବା ନେଇ ଆଶଙ୍କ ସୃଷ୍ଟି ହୋଇଛି। ଏହି ଘରର ତଳ ଭାଗରେ ଢେଉ ଅତଡ଼ା ଖାଉଛି। ସେହି ଘରେ ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଟିନ ଚଳାଉଥିବା ସ୍ବର୍ଣ୍ଣମୟୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଶୁକ୍ରବାର ଭୟରେ ସେଠାକୁ ଯାଇ ନାହାନ୍ତି। ଘର ହଲିଲାଣି,ଯେକୌଣସି ସମୟରେ ଭୁଶୁଡି ପଡିବ ବୋଲି ଏସ୍‌ଏଚଜି ସଦସ୍ୟାପୁରବୀ ମଣ୍ଡଳ କୁହନ୍ତି। ଏଭଳି ନଦୀ ଅତଡା ଖାଇବା ଘଟଣା ପ୍ରଘଟ ହେବାପରେ ଅପରାହ୍ନରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ,ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତ ଓ ଅନ୍ୟଯନ୍ତ୍ରୀମାନେ ଯାଇ ଭିତ୍ତିଭୂମି ଦେଖିଥିଲେ।ମନ୍ମଦ ଉଦ୍ୟାନ ଓ ଭ୍ୟୁ ଟାୱାର ସୁରକ୍ଷା ପାଇଁ ବନ୍ଦର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି ପୌରାଧ୍ୟକ୍ଷ ବିଶ୍ୱାଳ କହିଛନ୍ତି। ନଦୀ ସ୍ରୋତ ସହ ସମୁଦ୍ର କରେଣ୍ଟ (ଅନ୍ତଃସ୍ରୋତ) ମିଶିବା ଦ୍ୱାରା ସେଠାରେ ଥିବା ପଥରବନ୍ଧ ମଧ୍ୟ ଦବି ଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ତଥା ବାହାରୁ ଅନେକ ପର୍ଯ୍ୟଟକ ପାରାଦୀପ ଆସିଲେ ମୁଖ୍ୟ ଆକର୍ଷଣ ମହାନଦୀ ମୁହାଣ ନିକଟକୁ ଯାଇଥାନ୍ତି। ଏଠାରେ ମହାନଦୀ ଓ ସମୁଦ୍ରର ନୈସର୍ଗିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସେଥିପାଇଁ ସେଠାରେ ପାରାଦୀପ ବନ୍ଦର ଓ ପୌରପାଳିକା ପକ୍ଷରୁ ଅନେକ ପ୍ରକାର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ଏବେ ବନ୍ୟାଜଳ ସେସବୁକୁ ଅଧା ନଷ୍ଟ କରି ସାରିଲାଣି। ଉପଯୁକ୍ତ ସୁରକ୍ଷା ପଦକ୍ଷେପ ନ ନେଲେ ମନ୍ମଦ ଉଦ୍ୟାନ ସବୁଦିନ ପାଇଁ ଲୀନ ନ ହେବ ସେ କଥା ଏଡ଼ାଇ ଦିଆଯାଇ ନ ପାରେ।