ଭର୍ଚୁଆଲ ଟୁର୍‌ରେ ସାନ୍ତାଳ ଘର ବୁଲି ଦେଖିବେ ଦର୍ଶକ

ଭୁବନେଶ୍ୱର,୪।୭ (ବ୍ୟୁରୋ): ଓଡ଼ିଶାର ସାନ୍ତାଳ ଜନଜାତିମାନେ ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ବର, କେଉଁଝର ଜିଲାରେ ବସବାସ କରନ୍ତି। ଦେଶର ଜନଜାତିଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି। ସାନ୍ତାଳଙ୍କ ବସତିରେ ଗୃହଗୁଡ଼ିକ ସମାନ୍ତରାଳ ଭାବେ ଧାଡ଼ି କରି ନିର୍ମାଣ କରାଯାଇଥାଏ। ଘରଗୁଡ଼ିକ ସମ୍ମୁଖରେ ସର୍ବସାଧାରଣ ରାସ୍ତା ଦେଖିବାକୁ ମିଳେ। ସାନ୍ତାଳମାନେ ବହୁ ପ୍ରକୋଷ୍ଠ ଥିବା ସୌନ୍ଦର୍ଯ୍ୟପୂର୍ଣ୍ଣ ଗୃହ ନିର୍ମାଣ କରିଥାନ୍ତି। ସେମାନଙ୍କ ଘରଗୁଡ଼ିକ ନିର୍ଦ୍ଦିଷ୍ଟ କଳାତ୍ମକ ଢାଞ୍ଚାରେ ତିଆରି ହୋଇଥାଏ। ଘରଗୁଡ଼ିକରେ ପ୍ରଶସ୍ତ ପାଚେରି ଓ ପରିସର ରହିଥାଏ। ସମକୋଣ ଆକୃତିର ଘରଗୁଡ଼ିକର କାନ୍ଥ ଓଦାମାଟିରେ ନିର୍ମାଣ କରାଯାଇଥାଏ। କାନ୍ଥଗୁଡ଼ିକୁ ବିଭିନ୍ନ ରଙ୍ଗ ବିଶେଷତଃ ନାଲି ଓ କଳାରେ ପ୍ରଲେପ ଦିଆଯାଇଥାଏ। ଘରର ଛାତ ନଡ଼ା କିମ୍ବା ଟାଇଲ୍‌ରେ କରାଯାଇଥାଏ। ଏହା ମଧ୍ୟରେ ବୈଠକ ଘର, ରୋଷେଇଶାଳା, ବାରଣ୍ଡା ଓ ଗୃହପାଳିତ ପଶୁ ରହିଥାଏ। ଏମାନଙ୍କ ବିଷୟରେ ଅଧିକ କିଛି ଜାଣିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ରବିବାର ଫେସ୍‌ବୁକ୍‌ ଓ ଟୁଇଟର @stscdev କିମ୍ବା @scstrti ଖୋଲି ସାନ୍ତାଳଙ୍କ ସମ୍ବନ୍ଧରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା କହିଛନ୍ତି। କରୋନା ସଂକ୍ରମଣ ପାଇଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକଙ୍କ ନିମନ୍ତେ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ରବିବାର ସଂଗ୍ରହାଳୟକୁ ଏଭଳି ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି।

Share