ଭିଜିବୁଲ ପୋଲିସିଂ, କୁଇକ୍‌ ରେସ୍ପନ୍ସକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନ୍‌ ସିଟିର ଅଷ୍ଟମ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅତିରିକ୍ତ କମିଶନର ରେଖା ଲୋହାନୀ ସୌମେନ୍ଦ୍ରଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରିଥିଲେ। ଦାୟିତ୍ୱ ନେବା ପରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟ ଦାୟିତ୍ୱ ରହିବ ବୋଲି ଗଣମାଧ୍ୟମକୁ ସୌମେନ୍ଦ୍ର ସୂଚନା ଦେଇଛନ୍ତି। ଟୁଇନ୍‌ ସିଟିର ପୋଲିସ କମିଶନର ଭାବେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛି, ସେଥିପାଇଁ ପ୍ରଥମେ ଜନସାଧାରଣଙ୍କ ସହଯୋଗ କାମନା କରିବି। ମୋର ଦାୟିତ୍ୱକୁ ମୁଁ ନିଷ୍ଠାର ସହିତ ପ୍ରତିପାଦନ କରିବି ବୋଲି ଦୃଢ଼ ବିଶ୍ୱାସ ରହିଛି। ପ୍ରତ୍ୟେକ ପୋଲିସ ଅଫିସରଙ୍କ ଦୁଇଟି ମୁଖ୍ୟ ଦାୟିତ୍ୱ ରହିଛି। ତାହା ହେଲା ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଏବଂ ଅପରାଧ ନିୟନ୍ତ୍ରଣ ଓ ନିରୀକ୍ଷଣ। ତେଣୁ ନିଶ୍ଚିତ ଭାବରେ ଏହି ଦୁଇଟା ଦିଗ ଉପରେ ପ୍ରାଥମିକତା ଦେଇ କାମ କରିବେ ବୋଲି ସୌମେନ୍ଦ୍ର କହିଛନ୍ତି। ଥାନାରେ ମାମଲା ରୁଜୁଠାରୁ ଆରମ୍ଭ କରି ସଙ୍ଗିନ ଅପରାଧ ପର୍ଯ୍ୟନ୍ତ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଜନସାଧାରଣଙ୍କ ପାଇଁ ଭିଜିବୁଲ ପୋଲିସିଂ(ଆଖିଦୃଶିଆ ପୋଲିସ ବ୍ୟବସ୍ଥା) ହେବା ଦରକାର ବୋଲି ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ଥାନାକୁ ନେଇ ଆସୁଥିବା ସମସ୍ତ ଅଭିଯୋଗଠାରୁ ଆରମ୍ଭ କରି ଯେକୌଣସି ଘଟଣାରେ ପୋଲିସର କୁଇକ ରେସ୍ପନ୍ସ(ତ୍ୱରିତ ପଦକ୍ଷେପ)କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ କମିଶନର ଷଡ଼ଙ୍ଗୀଙ୍କ ଦ୍ୱାରା ଦ୍ୱୈତନଗରୀ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ବୋଲି ସୌମେନ୍ଦ୍ର କହିଛନ୍ତି। ଏଥିସହ ଟୁଇନ୍‌ ସିଟିରେ ଅପରାଧ ଓ ଲୁଟ ଛିନ୍‌ତାଇରେ ରୋକ୍‌ ଦେବା ନେଇ ସିସିଟିଭି କ୍ୟାମେରା ବୃଦ୍ଧି, ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ୧୫ ଡ୍ରୋନ୍‌ ନିୟୋଜିତ କରିବା ସହ କଣ୍ଟ୍ରୋଲ ରୁମ୍‌ ଗଠନ, ଟାଉନ ଆଉଟ ପୋଷ୍ଟ ପୋଲିସିଂ, ରାଜ୍ୟବାହାର ଲୁଟେରାଙ୍କ ଉପରେ ତୀକ୍ଷ୍ମ ନଜର ସହ ଗୋଇନ୍ଦା ଭିତ୍ତିକ ପୋଲିସିଂ ନେଇ ସ୍ବତନ୍ତ୍ର ଟିମ ଗଠନ ସହ ସୁପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ସୌମେନ୍ଦ୍ର କହିଛନ୍ତି। ସୌମେନ୍ଦ୍ର ପ୍ରଥମେ ପୁରୀରେ ଅତିରିକ୍ତ ଏସ୍‌ପି ଭାବେ ଚାକିରି ଆରମ୍ଭ କରିଥିଲେ।

Share