କେସିଙ୍ଗା,୨୩।୩(ଡି.ଏନ୍.ଏ.): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଏଏସ୍ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ସେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଅଧିକାରୀ ଭାବେ କାଯର୍ୟ କରୁଥିଲେ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି ।
ସୂଚନାନୁସାରେ, ଏଏସ୍ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲୁହୁରାଜୋର ଗାଁର ମଦ ବ୍ୟବସାୟୀ ପବିତ୍ର ନାଏକଙ୍କ ମାମଲା ରଫାଦଫା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ପବିତ୍ର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୋଲିସ ବାବୁଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା ଭିଜିଲାନ୍ସ।ଭବାନୀପାଟଣା ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଏସଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରି ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଛି । ପୂର୍ବରୁ ମଧ୍ୟ ଏହି ଭଳି ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଥିଲେ ପୋଲିସ ବାବୁ।