କୁଚିଣ୍ଡା ବିଇଓଙ୍କୁ ବାଟରୁ ଉଠାଇ ନେଲା ଭିଜିଲାନ୍ସ

ସମ୍ବଲପୁର/କୁଚିଣ୍ଡା, ୧୦।୭ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ପ୍ରଫୁଲ୍ଲ କୁମାର ନାୟକଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ତାଙ୍କ ବ୍ୟକ୍ତିଗତ କାରରୁ ୯୯ ହଜାର ୯୫୦ ଟଙ୍କା ଜବତ ହୋଇଛି। ପୂର୍ବାହ୍ନ ୧୧ଟା ୪୦ରେ ବିଇଓ ନାୟକ କୁଚିଣ୍ଡାରୁ ବାହାରି ବରଗଡ ବିଜେପୁରସ୍ଥିତ ନିଜ ଘରକୁ ଯାଉଥିବା ସମୟରେ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ବାଟରୁ ଧରିଥିଲା। ଏହି ସମୟରେ କାରରୁ ମିଳିଥିବା ଟଙ୍କାର ସେ ହିସାବ ଦେଇପାରି ନ ଥିଲେ। ଅନ୍ୟପକ୍ଷେ ଭିଜିଲାନ୍ସ ଟିମ୍‌ ବିଇଓଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଛି। ଏହାସହ ବିଜେପୁରସ୍ଥିତ ପୈତୃକ ଘର, କୁଚିଣ୍ଡାରେ ରହୁଥିବା ଭଡା ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଏ ନେଇ ଭିଜିଲାନ୍ସ ଏକ ମାମଲା (ନଂ. ୧୮/୨୦) ରୁଜୁ କରି ତଦନ୍ତ ଜାରି ରଖିଛି ା
ସୂଚନାଯୋଗ୍ୟ, ନାୟକ କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରିବା ଦିନଠାରୁ ଆର୍ଥତ୍କ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ଅଫିସରୁ ଟଙ୍କା ନେଇ ସେ ଘରକୁ ଯାଉଥିବା ନେଇ ଭିଜିଲାନ୍ସ ବିଭାଗ ଖବର ପାଇଥିଲା। ଅଫିସ କାର୍ଯ୍ୟାଳୟରୁ ସେ ତାଙ୍କ ବ୍ୟକ୍ତିଗତ କାର (ନଂ. ଓଡି ୧୫ ଏମ- ୪୫୨୯ )ରେ ବରଗଡ ଜିଲା ବିଜେପୁର ନିଜ ଘରକୁ ଯାଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା।

Share