୮୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ

ମାଲକାନଗିରି,୨୬ା୬(ଡି.ଏନ୍‌.ଏ.)-ସରକାରୀ ଜାଗାରେ ଘର କରିବା ନେଇ ହୋଇଥିବା ମାମଲାକୁ ଉଠାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ନାମ ଅକ୍ଷୟ ନାୟକ।
ଖବରରୁ ଜଣାପଡିଛି, ମୋଟୁ ଥାନା ଅନ୍ତର୍ଗତ ଏମ୍‌ଭି-୮୨ ଗ୍ରାମର ଜୀବନ ମଣ୍ଡଳ ମାଲକାନଗିରି ସଦର ମହକୁମାସ୍ଥିତ ଡିଏନ୍‌କେଠାରେ ଏକ ସରକାରୀ ଜମିରେ ଘର କରୁଥିଲେ। ଏନେଇ ପ୍ରଶାସନ ପକ୍ଷରୁ ଏକ ମାମଲା ହୋଇଥିଲା। ଏହି ମାମଲାକୁ ଉଠାଇଦେବାକୁ କହି ନାୟକ ତାଙ୍କୁ ଏଥିପାଇଁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଜୀବନ ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳଙ୍କୁ ଜଣାଇଥିଲେ। ଶୁକ୍ରବାର ନାୟକ ଟଙ୍କା ନେଉଥିବା ବେଳେ ଡିଏସ୍‌ପି ବିଶ୍ୱାଳ, ଆର୍‌. ବିଜୟ କୁମାର, ଜୟପୁରର ଇନ୍ସପେକ୍ଟର ଆର୍‌.ଡି. ନାୟକ ଏବଂ ସଞ୍ଜୀବ କୁମାର ସାହୁ ଚଢାଉ କରି ନାୟକଙ୍କ ହାତରୁ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲେ। ତାଙ୍କୁ ଅଧିକ ପଚରାଉଚରା ଜାରି ରହିଛି। ଏଥିସହ ତାଙ୍କ ବାସଗୃହ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ଡିଏସ୍‌ପି ବିଶ୍ୱାଳ କହିଛନ୍ତି, ଏକ ସରକାରୀ ଜମିରେ ଘର କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଉଠାଇ ଦେବାପାଇଁ ନାୟକ ମଣ୍ଡଳଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ। ମଣ୍ଡଳ ଗୁରୁବାର କିରାଣି ନାୟକଙ୍କୁ ୨୦ ହଜାର ଟଙ୍କା ଦେଇଥିବା ବେଳେ ଶୁକ୍ରବାର ୮୦ ହଜାର ଟଙ୍କା ଦେଉଥିଲେ। ଏହି ଟଙ୍କା ନେବା ବେଳେ ସେ ଧରାପଡିଛନ୍ତି।

Share